ଆମକୋ-ସିମକୋ ସହିଦ ପୀଠରେ ୮୮ତମ ଶ୍ରଦ୍ଧାଞ୍ଜଳି ସଭା: ସହିଦ ମାନ୍ୟତା ଦାବି କଲେ ବୀରମିତ୍ରପୁର ବିଧାୟକ, ଡବଲ୍ ଇଞ୍ଜିନ୍ ସରକାରକୁ କଲେ ଟାର୍ଗେଟ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ଐତିହାସିକ ଆମକୋ-ସିମକୋ ସହିଦ ପୀଠରେ ୮୮ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀ ଉପସ୍ଥିତ ରହି ସହିଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ବିଧାୟକ ଶ୍ରୀ ତିର୍କୀ ପ୍ରଥମେ ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ବ୍ରାହ୍ମଣମରା ସ୍ଥିତ ସିମକୋ ସହିଦ ସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ନିଜ ସମର୍ଥକମାନଙ୍କ ସହ ରାଏବଗା ଆମକୋ-ସିମକୋ ସହିଦ ପୀଠକୁ ଯାଇ ବୀର ସହିଦମାନଙ୍କୁ ସ୍ମରଣ କରିଥିଲେ। ସେଠାରେ ସେ ସହିଦ ପରିବାରବର୍ଗଙ୍କୁ ଭେଟି ଆଲୋଚନା କରିବା ସହ ସେମାନଙ୍କୁ ତୁରନ୍ତ ସରକାରୀ ଭାବେ ‘ସହିଦ ମାନ୍ୟତା’ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।
ଏହି ଅବସରରେ ବର୍ତ୍ତମାନର ସରକାରକୁ କଡ଼ା ସମାଲୋଚନା କରି ବିଧାୟକ କହିଛନ୍ତି ଯେ, ଆମକୋ-ସିମକୋ ସହିଦ ପୀଠର ଯାହା କିଛି ବିକାଶ ଓ ଉନ୍ନତିକରଣ ହୋଇଛି, ତାହା କେବଳ ପୂର୍ବତନ ନବୀନ ସରକାରଙ୍କ ସମୟରେ ହିଁ ସମ୍ଭବ ହୋଇଥିଲା। ବର୍ତ୍ତମାନର ଡବଲ୍ ଇଞ୍ଜିନ୍ ସରକାର ଆମକୋ-ସିମକୋର ବିକାଶ ପାଇଁ କୌଣସି ନୂତନ ଯୋଜନା କରିନାହାନ୍ତି। ଏହି ଜିଲ୍ଲାରୁ ଜଣେ ଆଦିବାସୀ ନେତା କେନ୍ଦ୍ରମନ୍ତ୍ରୀ ଥିବା ସତ୍ତ୍ୱେ ଆଦିବାସୀଙ୍କ ଏହି ପବିତ୍ର ବଳିଦାନ ସ୍ଥଳ ପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ତୁରନ୍ତ ଏହି ପୀଠର ଉନ୍ନତି ପ୍ରତି ଦୃଷ୍ଟି ଦେବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ରାଉରକେଲା ସାଂଗଠନିକ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବୀରମିତ୍ରପୁର ନଗର ସଭାପତି କୁନା ଦେଓ, ବିଧାୟକଙ୍କ ପ୍ରତିନିଧି ଶଶି ସାଗର, ମହେଶ ସାହୁ, ନୂଆଗାଁ ବ୍ଲକ ସଭାପତି ପ୍ରକାଶ ସାହୁ, କୁଆଁରମୁଣ୍ଡା ବ୍ଲକ ଉପାଧ୍ୟକ୍ଷା ସୁନିତା ଆହିର, ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର, ନୂଆଗାଁ ଅଧ୍ୟକ୍ଷା ବିଶ୍ୱାସୀ ଟୋପ୍ନୋ, ହାଲୁ ମୁଣ୍ଡାରୀ, ରାଜ୍ୟ ମହିଳା ଉପସଭାପତି ଏମ୍ମା ଏକ୍କା, ବୀରମିତ୍ରପୁର ପୌର ଉପାଧ୍ୟକ୍ଷା ନିବେଦିତା ବାଗେ, ୱାର୍ଡ କାଉନସିଲର ନିର୍ମଳା କୁଜୁର, ବରିଷ୍ଠ ନେତା ଲୋରେନ୍ସ ବାଗେ ଓ ସାଜିଦ ଆଲମ ପ୍ରମୁଖ ସାମିଲ ଥିଲେ।
ଏହାଛଡ଼ା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା, ଛାତ୍ର ନେତା ମହମ୍ମଦ ଏଜାଜ ଆଲମ, ମହେନ୍ଦ୍ର ବଡ଼ାଇକ, ଯୁବ ନେତା ସୋମନାଥ ରାହା, ସକିଲ ବଣ୍ଟି, ଦିଲୀପ ଲହେରି, ସାକିବ ରାଜା, ଅକ୍ଷୟ ବିରଘଣ୍ଟିଆ, ଅଶୋକ ନାୟକ, ପ୍ରମୋଦ ବୁଡ଼ାଙ୍କ ସମେତ ଅନ୍ୟାନ୍ୟ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳର ବହୁ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
