ଗ୍ରୀଷ୍ମ ପ୍ରବାହରୁ ମିଳିବ ଆଶ୍ୱସ୍ତି: ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ମାସେ ବ୍ୟାପୀ ମାଗଣା ଗ୍ଲୁକୋଜ ବଣ୍ଟନ ଆରମ୍ଭ

add-all

ବ୍ରହ୍ମପୁର : ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ (ଜିପିସିଡିଏ) ପକ୍ଷରୁ ଏକ ମାନବୀୟ ସେବା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ରାଜ୍ୟ ଔଷଧ ବ୍ୟବସାୟୀ ସଂଘ, ସିପିଏସ ମହୁଡ଼ା ଏବଂ ଏନଟିଆର ସେବା ସମିତିର ମିଳିତ ସହଯୋଗରେ ଆଜିଠାରୁ ସହରର ରାମଲିଙ୍ଗମ ରୋଡ୍ ସ୍ଥିତ ଗାନ୍ଧୀ ପାର୍କ ସମ୍ମୁଖରେ ବାଟୋଇମାନଙ୍କ ପାଇଁ ମାଗଣା ଗ୍ଲୁକୋଜ ବଣ୍ଟନ ଶିବିର ଉଦଘାଟିତ ହୋଇଯାଇଛି। ଏହି ସେବା କାର୍ଯ୍ୟ ଆଗାମୀ ଏକ ମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘର ସଭାପତି ତଥା ଜିପିସିଡିଏ ସମ୍ପାଦକ ପି. ସତ୍ୟନାରାୟଣ ବାବୁ, ଜିପିସିଡିଏ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ସଂଘର ଉପଦେଷ୍ଟା ତଥା ସିପିଏସ ଅଧ୍ୟକ୍ଷ ଭି. ଜଗନ୍ନାଥ ରାଓ ଏବଂ କୋଷାଧ୍ୟକ୍ଷ ବଲ୍ଲଭ ଚନ୍ଦ୍ର ପାଣିଗ୍ରାହି ପ୍ରମୁଖ ଉପସ୍ଥିତ ରହି ବାଟୋଇମାନଙ୍କୁ ଗ୍ଲୁକୋଜ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଓ ସାଇନ୍ସ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ପିଆରଓ ନାଗେଶ୍ୱର ପୃଷ୍ଟି, ଏନଟିଆର ସେବା ସମିତି ସଭାପତି ଶ୍ରୀନିବାସ ରାଓ, ସମ୍ପାଦକ ଲକ୍ଷଣ ରାଓ ଏବଂ ସମାଜସେବୀ ଜେ. ସୈଳଜାଙ୍କ ସମେତ ବିଭିନ୍ନ ସଂଗଠନର ବହୁ କର୍ମକର୍ତ୍ତା ଏହି ଶିବିରରେ ସାମିଲ ହୋଇ ସେବା ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଏଭଳି ଜନହିତକର କାର୍ଯ୍ୟ କରାଯାଇଥାଏ। ଚଳିତ ବର୍ଷ ପ୍ରବଳ ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ସାଧାରଣ ଜନତାଙ୍କୁ ତତ୍କାଳ ଶକ୍ତି ପ୍ରଦାନ କରିବା ଲକ୍ଷ୍ୟରେ ଏହି ଗ୍ଲୁକୋଜ ବଣ୍ଟନ ବ୍ୟବସ୍ଥା କରାଯାଇଛି, ଯାହାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.