
କୋରାପୁଟ/ପୋଟାଙ୍ଗୀ, ୦୫/୦୫ (ବସନ୍ତ ପେଗଡ଼): ପୋଟାଙ୍ଗୀ ବ୍ଲକ ଅନ୍ତର୍ଗତ ସୀମାନ୍ତ କୋଟିଆ ପଞ୍ଚାୟତରେ ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗସ୍ତ କରିଛନ୍ତି। ମନ୍ତ୍ରୀଦ୍ୱୟ ଗଞ୍ଜେଇପଦର ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେଠାରୁ ସଂକୀର୍ତ୍ତନ ଏବଂ କଳସ ଯାତ୍ରା ମାଧ୍ୟମରେ ପ୍ରାୟ ଏକ କିଲୋମିଟର ପଦଯାତ୍ରାରେ ଯାଇ ସେମାନେ କୋଟିଆ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ପ୍ରଥମେ ଉଭୟ ମନ୍ତ୍ରୀ ମନ୍ଦିରରେ ଦର୍ଶନ ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନ୍ଦିର ପ୍ରାଙ୍ଗଣରେ ମା’ ସୁଭଦ୍ରାଙ୍କ ରଥଚକ ପ୍ରତିଷ୍ଠା କରାଯାଇଥିଲା।

ପରବର୍ତ୍ତୀ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏକ ସାଧାରଣ ସଭାରେ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିଜ ବକ୍ତବ୍ୟରେ କହିଥିଲେ ଯେ, “ଯଦି ଆଗାମୀ ଜନ୍ମରେ ମୋର ପୁନର୍ଜନ୍ମ ହୁଏ, ତେବେ ତାହା କୋରାପୁଟ ତଥା କୋଟିଆ ମାଟିରେ ହିଁ ହେଉ।” କୋଟିଆର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଏଥିସହ ଓଡ଼ିଶାର ଜନଗଣନା ପ୍ରକ୍ରିୟାରେ କୋଟିଆ ବାସିନ୍ଦା ଶତପ୍ରତିଶତ ସହଯୋଗ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ସେହିପରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଆଗାମୀ ଦିନରେ କୋଟିଆ ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ କରାଯିବ। ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କୁନ୍ଦୁଲିଠାରୁ ଦେଓମାଳି ଏବଂ କୋଟିଆ ରାସ୍ତାକୁ ସାଢ଼େ ୭ ମିଟର ପର୍ଯ୍ୟନ୍ତ ପ୍ରଶସ୍ତ କରାଯିବାର ଯୋଜନା ରହିଛି ଏବଂ ଅଞ୍ଚଳର ସମସ୍ତ ପ୍ରକାର ବିକାଶ କରାଯିବ। ସଭା ଶେଷରେ ହିତାଧିକାରୀମାନଙ୍କୁ ନୂତନ ଜଙ୍ଗଲ ଜମି ପଟ୍ଟା, ନୂତନ ଭତ୍ତା ଏବଂ ସୁଭଦ୍ରା ଯୋଜନାର ସ୍ୱୀକୃତି ପତ୍ର ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୋଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏବଂ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।
ସଭା କାର୍ଯ୍ୟକ୍ରମ ସରିବା ପରେ ଉଭୟ ମନ୍ତ୍ରୀ କୋରାପୁଟ ସହରରେ ଆୟୋଜିତ ଦାଣ୍ଡି ମାର୍ଚ୍ଚରେ ସାମିଲ ହେବା ସହ ‘କଫି ସେଲ୍ଫି ପଏଣ୍ଟ’ର ଶୁଭାରମ୍ଭ କରିଥିଲେ। ଏଥିସହ ସହରର ୩ଟି ପ୍ରମୁଖ ରାସ୍ତାର ନିର୍ମାଣ ପାଇଁ ସେମାନେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
