ମାନବିକତା ଦେଖାଇଲେ ରାଇଘର ବ୍ଲକ ଅଧ୍ୟକ୍ଷା : ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ତୁରନ୍ତ ଉଦ୍ଧାର କରି ପଠାଇଲେ ମେଡିକାଲ

ଉମରକୋଟ/ରାଇଘର (୬/୫): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ବୋଲେରୋ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ବେଳେ ତାଙ୍କର ଦୁଇ କୁନି ଝିଅ ଅଳ୍ପକେ ରକ୍ଷା ପାଇଛନ୍ତି। ଏହି ସଙ୍କଟ ସମୟରେ ରାଇଘର ବ୍ଲକ ଅଧ୍ୟକ୍ଷା ଦିନେଶ୍ବରୀ ଗଣ୍ଡ ମାନବିକତା ପ୍ରଦର୍ଶନ କରି ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ମେଡିକାଲ ପଠାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ରାଇଘର ବ୍ଲକ କାମରପାରା ଗ୍ରାମର ପବନ ନାମକ ବ୍ୟକ୍ତି ଆଜି ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ ସମୟରେ ନିଜ ଦୁଇ ଝିଅଙ୍କୁ ସହିତ ବାଇକ୍ ଯୋଗେ ‘ମଣ୍ଡେଇ’ ଦେଖିବାକୁ ଯାଉଥିଲେ। କୁନ୍ଦେଇ ଥାନା ଅଧୀନ ଖୁଡ଼ୁକୁ ପଞ୍ଚାୟତର ଡମାଡିହୀ ରାସ୍ତାରେ ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ ବୋଲେରୋ ଗାଡ଼ି ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜବରଦସ୍ତ ଥିଲା ଯେ, ବାପା ଓ ଦୁଇ ଝିଅ ବାଇକ୍ରୁ ଛିଟିକି ପଡ଼ି ରକ୍ତାକ୍ତ ହୋଇଯାଇଥିଲେ।
ଠିକ୍ ସେହି ସମୟରେ ରାଇଘର ବ୍ଲକ ଅଧ୍ୟକ୍ଷା ଦିନେଶ୍ବରୀ ଗଣ୍ଡ ସେହି ପଥ ଦେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ରାସ୍ତା କଡ଼ରେ ପଡ଼ିଥିବାର ଦେଖିଥିଲେ। ସେ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ ଏବଂ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିବା ସହ ଆହତମାନଙ୍କୁ ରାଇଘର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲେ। ତାଙ୍କର ଏହି ତୁରନ୍ତ ପଦକ୍ଷେପ ଯୋଗୁଁ ଆହତଙ୍କୁ ଠିକ୍ ସମୟରେ ଚିକିତ୍ସା ମିଳିପାରିଛି।
ପବନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ଉମରକୋଟ ଏବଂ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ତାଙ୍କର ଦୁଇ ଝିଅ ଏବେ ବିପଦମୁକ୍ତ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ କୁନ୍ଦେଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିର ସନ୍ଧାନ କରୁଛି। ସ୍ଥାନୀୟ ଅଞ୍ଚଳରେ ଦ୍ରୁତ ଗତିରେ ଗାଡ଼ି ଚାଳନା କରୁଥିବା ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।
(ରିପୋର୍ଟ: ରସିକ ସରକାର, ଉମରକୋଟ)
