ଗଞ୍ଜାମରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ : ୨୭,୪୩୨ଟି ମାମଲାର ସମାଧାନ

add-all

ଛତ୍ରପୁର : ୯/୫/୨୬ : ଆଜି ଗଞ୍ଜାମ ଜିଲ୍ଲା କୋର୍ଟ ପରିସର, ବ୍ରହ୍ମପୁର ସହିତ ଜିଲ୍ଲାର ସମସ୍ତ ଅଦାଲତରେ ୨୦୨୬ ମସିହାର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତରେ ମୋଟ ୨୭,୪୩୨ଟି ମାମଲାର ଆପୋଷ ସମାଧାନ କରାଯାଇଥିବା ବେଳେ ସମୁଦାୟ ରୁ. ୩,୩୫,୦୭,୫୭୮ /- ଟଙ୍କା ପ୍ରଦାନ ପାଇଁ ଆଦେଶ ହୋଇଥିଲା I ଜାତୀୟ ଆଇନ ସେବା ପ୍ରାକରଣଙ୍କ ନିର୍ଦ୍ଦେଶକ୍ରମେ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାକରଣଙ୍କ ସମନ୍ୱୟରେ ଜିଲ୍ଲା ଆଇନ ସେବା ପ୍ରାକରଣ, ଗଞ୍ଜାମ ପକ୍ଷରୁ ଏହି ଲୋକ ଅଦାଲତର ଆୟୋଜନ କରାଯାଇଥିଲା I ପକ୍ଷମାନଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ମାମଲାଗୁଡ଼ିକର ସମାଧାନ କରାଯାଇଥିଲା I

ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାକରଣର ଅଧ୍ଯକ୍ଷ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତ ପାଇଁ ବିଭିନ୍ନ ନ୍ୟାୟାଳୟରେ ୧୨ଟି ବେଞ୍ଚ ଗଠନ କରାଯାଇଥିଲା I ପ୍ରତ୍ୟେକ ବେଞ୍ଚରେ ଜଣେ ନ୍ୟାୟିକ ଅଧିକାରୀଙ୍କ ସହ ଜଣେ ଆଇନଜୀବୀ ଓ ସମାଜସେବୀଙ୍କୁ ସାମିଲ କରାଯାଇଥୁଲା, ଯେଉଁମାନେ ମିଳିତ ଭାବେ ମାମଲାଗୁଡ଼ିକର ଆପୋଷ ସମାଧାନ କରିଥିଲେ I

ଲୋକ ଅଦାଲତରେ ଫୌଜଦାରୀ ଆପୋଷ ଯୋଗ୍ୟ ୧୩ଟି ମାମଲାର ସମାଧାନ କରାଯାଇଥିଲା I ନେଗୋସିଏବଲ ଇନଷ୍ଟ୍ରମେଣ୍ଟ ଆଇନ ଧାରା ୧୩୮ ଅନୁସାରେ ୧୫ଟି ମାମଲାର ସମାଧାନ ହୋଇ ରୁ. ୫୬,୬୪,୦୪୪/- ଆଦାୟ ହୋଇଥିଲା I ବ୍ୟାଙ୍କ ଋଣ ଆଦାୟ ସମ୍ବନ୍ଧୀୟ ୯୫ଟି ମାମଲାରେ ରୁ. ୧,୪୨,୯୨,୪୧୩/-ଟଙ୍କାର ସମାଧାନ କରାଯାଇଥିଲା I ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ (MACT) ସମ୍ୱନ୍ଧୀୟ ୧୧ଟି ମାମଲାର ସମାଧାନ କରାଯାଇ ରୁ. ୮୦,୭୫,୦୦୦ /- କ୍ଷତିପୂରଣ ନିର୍ଦ୍ଧାରଣ ହୋଇଥିଲା I ଏହା ସହ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ ଚାଲାଣ ସମ୍ବନ୍ଧୀୟ ୨୩୯ଟି ମାମଲାରେ ରୁ. ୫,୮୦,୬୪୭/- ଆଦାୟ ହୋଇଥିଲା I ଶ୍ରମ ବିବାଦ ସମ୍ୱନ୍ଧୀୟ ୧୮ଟି ମାମଲା, ରେଭେନ୍ୟୁ ସମ୍ବନ୍ଧୀୟ ୨୬,୦୭୩ଟି ମାମଲାର ସମାଧାନ ସହ ରୁ. ୨୯,୫୦, ୪୭୪ / – ଆଦାୟ କରାଯାଇଥିଲା I ସ୍ଥାୟୀ ଲୋକ ଅଦାଲତ (ଜନସେବା ସମ୍ବନ୍ଧୀୟ) ର ୪୧ଟି ମାମଲା, ବୈବାହିକ ବିବାଦ ସମ୍ୱନ୍ଧୀୟ ୨୭ଟି ମାମଲା ଏବଂ ସିଭିଲ ମାମଲାର ୪୩ଟି ମାମଲାର ସମାଧାନ ହୋଇ ରୁ. ୧୯,୪୫,୦୦୦/- ଟଙ୍କାର ନିଷ୍ପରି ହୋଇଥିଲା I ଏହା ବ୍ୟତୀତ ମଧ୍ୟସ୍ଥତା ଓ ଆପୋଷ ଯୋଗ୍ୟ ଅନ୍ୟାନ୍ୟ ୮୫୭ଟି ମାମଲାର ମଧ୍ଯ ସମାଧାନ କରାଯାଇଥିଲା I

ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅଶାନ୍ତ କୁମାର ଦାସ, ମେମ୍ୱର, ୨ୟ MACT ଶ୍ରୀ ବିଶ୍ବଜିତ ଦାଶ, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ନରେଶ ମହାନ୍ତି, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ଲଲିତା ମଞ୍ଜରୀ ପଟ୍ଟନାୟକ ଓ ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ବିବସ୍ବତ ଗୌତମ ମୋଟର ଦୁର୍ଘଟଣା ସମ୍ବନ୍ଧୀୟ ମାମଲାର ସମାଧାନରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧୁକରଣ, ଗଞ୍ଜାମର ସଚିବ ଶ୍ରୀ ବ୍ୟୋମକେଶ ନାୟକ ସମଗ୍ର ଲୋକ ଅଦାଲତର ସୁପରିଚାଳନା କରିଥିଲେ I

ଉକ୍ତ ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ବିଚାରପତି, ଆଇନଜୀବୀ, ବ୍ୟାଙ୍କ ଅଧିକାରୀ, କୋର୍ଟ କର୍ମଚାରୀ ଓ ସାଧାରଣ ଜନସାଧାରଣ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.