
ବ୍ରହ୍ମପୁର, ୧୦/୦୫ : ଜଣେ ସନ୍ତାନ ପାଇଁ ମା’ କେବଳ ଏକ ସମ୍ପର୍କ ନୁହେଁ, ବରଂ ସେ ଏହି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ତଥା ସମ୍ମାନାସ୍ପଦ ଶକ୍ତି। ମା’ର ତ୍ୟାଗ ଓ ମମତା ଯୋଗୁଁ ହିଁ ମଣିଷ ସମାଜରେ ବଞ୍ଚିବା ସହ ସଫଳତାର ଶୀର୍ଷକୁ ଛୁଇଁପାରେ। ଏହି ମର୍ମସ୍ପର୍ଶୀ ବାର୍ତ୍ତା ସହ ଆଜି ବ୍ରହ୍ମପୁର ନିକଟସ୍ଥ ରାମଚନ୍ଦ୍ରପୁର ସ୍ଥିତ ‘ବିଶ୍ୱ ନିକେତନ ଜରା ନିବାସ’ରେ ମାତୃ ଦିବସ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି।
ମହାନ୍ ସଂଘ ଦ୍ଵାରା ପରିଚାଳିତ ଏହି ଅନୁଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମାତୃତ୍ୱର ମହିମା ଗାନ କରି ସେ କହିଥିଲେ ଯେ, “ଆଜିର ବସ୍ତୁବାଦୀ ଦୁନିଆରେ ମଣିଷ ମନର ଶାନ୍ତି ପାଇଁ ମନ୍ଦିର କିମ୍ବା ମସଜିଦ୍ ଦୌଡୁଛି, କିନ୍ତୁ ପ୍ରକୃତରେ ନିଜର ବୃଦ୍ଧ ପିତାମାତାଙ୍କ ସେବା ଓ ପୂଜା କରିବା ହିଁ ସବୁଠାରୁ ବଡ଼ ଧର୍ମ। ଯେଉଁ ସନ୍ତାନ ନିଜ ମା’କୁ ଶ୍ରଦ୍ଧା କରେ, ତା’ ପାଇଁ ସାରା ପୃଥିବୀ ଶୁଭଙ୍କର ହୋଇଥାଏ।”

ଏହି ଅବସରରେ ଶ୍ରୀ ସାବତ ଜରା ନିବାସର ସମସ୍ତ ଅନ୍ତେଃବାସୀ ମା’ମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଓ ଭଲମନ୍ଦ ବୁଝିଥିଲେ। ମାତୃ ଦିବସର ଖୁସିକୁ ଦ୍ୱିଗୁଣିତ କରିବା ପାଇଁ ସମସ୍ତ ଅନ୍ତେଃବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର କର୍ମକର୍ତ୍ତା ଓ ଅନ୍ତେଃବାସୀଙ୍କ ଗହଣରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।
କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ, ସଦସ୍ୟା ଏବଂ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ, ସମାଜରେ ବୃଦ୍ଧାଶ୍ରମର ସଂଖ୍ୟା କମିବା ଏବଂ ପ୍ରତିଟି ଘର ପରିବାରରେ ମା’ ପୁଣି ଥରେ ପୂଜା ପାଇବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା।
