
ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କୁରଲୁଖମନ PWD ୨୮ ନମ୍ବର ରାସ୍ତା ଉପରେ ଦୁଇଟି ବାଇକ୍ ମଧ୍ୟରେ ଜୋରଦାର ଧକ୍କା ହେବା ଫଳରେ ତିନି ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବଡ଼ମାଳ ଅଞ୍ଚଳର ଜୋନ ସାମାଦ (୬୩) ସଳଙ୍ଗାବାହାଲ ହାଟରୁ ନିଜ ବାଇକ୍ (ନମ୍ବର-JH 20A 2420) ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଅନ୍ୟ ଏକ ବାଇକ୍ (ନମ୍ବର-OD 14AX 8114) ତାଙ୍କୁ ସଜୋରରେ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଉଭୟ ବାଇକରେ ଥିବା ତିନି ଜଣ ଯାତ୍ରୀ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ ଏବଂ ଗୁରୁତର ଆହତ ହୋଇଥିଲେ।
ଆହତମାନେ ହେଲେ ଆମ୍ବପାନୀ ଅଞ୍ଚଳର ପଙ୍କଜ ଆଇନ୍ଦ (୨୮), ଝାରଖଣ୍ଡ କେରିଆ ଅଞ୍ଚଳର ଆନନ୍ଦ ସୂରିନ (୨୨) ଏବଂ ବଡ଼ମାଳ ଅଞ୍ଚଳର ଜୋନ ସାମାଦ (୬୩)। ଦୁର୍ଘଟଣା ସ୍ଥଳରେ ଜାମ୍ବାହାଲ ଅଞ୍ଚଳର ସମାଜସେବୀ ଅବଦୁଲ ଅହାବ ଆନସାରୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ। ସେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇ ପଙ୍କଜ ଓ ଆନନ୍ଦଙ୍କୁ ଚିକିତ୍ସା ପାଇଁ ପଠାଇବା ସହ, ଜୋନ ସାମାଦଙ୍କୁ ଏକ ବାଇକ୍ ଯୋଗେ ଜାମ୍ବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଖବର ପାଇ ରାଏବଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ASI ଶଶୀଭୁଷଣ ମାହାନ୍ତ ଏବଂ ସୁରେସ ଚନ୍ଦ୍ର ସାମଲ ଦୁର୍ଘଟଣାଗ୍ରସ୍ତ ଉଭୟ ବାଇକକୁ ଜବତ କରିବା ସହ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛନ୍ତି।
