ଲକ୍ଷ୍ମୀପୁର ବ୍ଲକରେ ଜିଲ୍ଲା ପ୍ରଶାସନର ମିଳିତ ଜନଶୁଣାଣି ଶିବିର : ୨୧ଟି ଅଭିଯୋଗର ଶୁଣାଣି, ଏକ ସମସ୍ୟାର ତୁରନ୍ତ ସମାଧାନ

କୋରାପୁଟ/ଲକ୍ଷ୍ମୀପୁର (ବସନ୍ତ ପେଗଡ଼) : କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ମୁଖ୍ୟ ଭାବେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ଅଭିଯୋଗର ଶୁଣାଣି କରିଥିଲେ।
ଆୟୋଜିତ ଏହି ଶିବିରରେ ସମୁଦାୟ ୨୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୮ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିବା ବେଳେ ୧୩ଟି ଗୋଷ୍ଠୀଗତ ବା ସାମୂହିକ ସମସ୍ୟା ସମ୍ପର୍କିତ ରହିଥିଲା। ଶୁଣାଣି ସମୟରେ ଏକ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଅଭିଯୋଗକୁ ସମ୍ପୃକ୍ତ ବିଭାଗକୁ ପଠାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ସବ୍ୟସାଚୀ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆମ୍ବିତ ମହାନ୍ତି, ଉପଜିଲ୍ଲାପାଳ ପ୍ରେମ ଲାଲ୍ ହିଆଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଏବଂ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବ ସାଇ ସ୍ୱରୂପ ପ୍ରମୁଖ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା, ତହସିଲଦାର ନୈବେଦ୍ୟ ଭୋଇ ଏବଂ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ବହୁ ପଦାଧିକାରୀ ଉପସ୍ଥିତ ରହି ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିଥିଲେ। ଜନସାଧାରଣଙ୍କ ସମସ୍ୟାକୁ ନିକଟରୁ ଶୁଣିବା ଏବଂ ସମାଧାନ ପାଇଁ ପ୍ରଶାସନର ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି।
