
କୋଟପାଡ଼ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦୁଇଜଣ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାଇଁ ଏକ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କୋଟପାଡ଼ ସ୍ଥିତ ବ୍ରାହ୍ମଣଦେଇ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେବାନିବୃତ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଞ୍ଛାନିଧି ହରିଜନ ଓ ଶ୍ରୀ ଖଗେଶ୍ୱର ଗୋଲାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଫଟୋଚିତ୍ରରେ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହାପରେ ଉଭୟ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା।
ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜ ବକ୍ତବ୍ୟରେ ଉଭୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଓ ସହଯୋଗୀ ମନୋଭାବର ପ୍ରଶଂସା କରିଥିଲେ। ସେମାନଙ୍କ ଅବସର ଗ୍ରହଣ କୋଟପାଡ଼ ଶିକ୍ଷା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା। ସଂଘ ପକ୍ଷରୁ ଅବସରପ୍ରାପ୍ତ ଅଧିକାରୀଦ୍ୱୟଙ୍କୁ ଉପଢୌକନ, ମାନପତ୍ର, ପୁଷ୍ପମାଲ୍ୟ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସଂଘ ସଭାପତି ସନ୍ତୋଷ ଦୁର୍ବେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ତୁଲାରାମ ମାଝୀ ମଞ୍ଚାସୀନ ଥିଲେ। ଶିକ୍ଷକ ବୈରିଗଞ୍ଜନ ମହାଲିକ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତ ଭତ୍ରା, ବଦ୍ରିନାଥ ନାୟକ, ଲକ୍ଷ୍ମୀ ନାରାୟଣ ମାଝି, ତୀର୍ଥବାସୀ ଚୌଧୁରୀ, ପ୍ରହ୍ଲାଦ ନାୟକ, ଡମ୍ବରୁଧର ପୂଜାରୀ ଓ ନବୀନ ଚଲାଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
