
ବ୍ରହ୍ମପୁର : ଓଡ଼ିଶା ନାଭାଲ ୟୁନିଟ୍ ଏନ୍.ସି.ସି ବ୍ରହ୍ମପୁର ପକ୍ଷରୁ ଏକ ମିଳିତ ବାର୍ଷିକ ତାଲିମ ଶିବିର ଚମାଖଣ୍ଡିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଉଦଘାଟିତ ହୋଇଯାଇଛି । ଏନ୍.ସି.ସି ଓଡ଼ିଶା ନିର୍ଦ୍ଦେଶାଳୟ ଅଧୀନରେ ଥିବା ବିଭିନ୍ନ ୟୁନିଟ୍ର ୫୦୦ରୁ ଅଧିକ ଏନ୍.ସି.ସି କ୍ୟାଡେଟ୍ ଏହି ଦଶ ଦିନିଆ ମିଳିତ ବାର୍ଷିକ ତାଲିମ ଶିବିରେ ସୋମବାର ଯୋଗଦେଇଛନ୍ତି । ଏହି ଶିବିରଟି ଏନ୍.ସି.ସି ବ୍ରହ୍ମପୁର ଗ୍ରୁପ୍ ହେଡ୍ କ୍ୱାର୍ଟର ଅଧୀନରେ ଥିବା ୧ ଓଡ଼ିଶା ନାଭାଲ ୟୁନିଟ୍ ଏନ୍.ସି.ସି ବ୍ରହ୍ମପୁର ଦ୍ୱାରା ପରିଚାଳିତ ହେଉଛି ।

ଏହି ଶିବିରଟିକୁ ଛତ୍ରପୁରର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସୁଜିତ କୁମାର ପାଢୀ (OES) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । କ୍ୟାଡେଟ୍ମାନଙ୍କୁ ସମ୍ବୋଧିତ କରି, ସେମାନଙ୍କୁ ସାମରିକ ଶୈଳୀର ତାଲିମ ଅନୁଭବ କରିବା, ଶୃଙ୍ଖଳା, ନେତୃତ୍ୱ ଗୁଣାବଳୀ ବିକାଶ ଏବଂ ଆତ୍ମବିଶ୍ୱାସର ସହିତ ଭବିଷ୍ୟତର କ୍ୟାରିଅର ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ସୁଯୋଗର ସର୍ବୋତ୍ତମ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ ।
ଏହି ତାଲିମ ଶିବିରରେ, ଉଭୟ ବାଳକ ଓ ବାଳିକା ବର୍ଗର କ୍ୟାଡେଟ ମାନଙ୍କୁ ବିଭିନ୍ନ ସାମରିକ ଏବଂ ନୌସେନା-ମୁଖୀ କାର୍ଯ୍ୟକଳାପର ତାଲିମ ଗ୍ରହଣ କରିବେ । ରେଜିମେଣ୍ଟାଲ୍ ତାଲିମ, ଡ୍ରିଲ୍, ରାଇଫଲ ଡ୍ରିଲ୍, .22 ରାଇଫଲ୍ ଫାୟାରିଂ କରିବେ । ସେହିପରି ସିପ୍ ମଡଲିଂ, ସିମାଫୋର, ନେଭିଗେସନ୍ ଏବଂ ଛତ୍ରପୁର ନିକଟସ୍ଥ ତାମ୍ପରା ହ୍ରଦଠାରେ ଦୁଃସାହସିକ ଜଳକ୍ରୀଡା ଯଥା ବୋଟ୍ ପୁଲିଂ, ସେଲିଂ, ସନ୍ତରଣ ଆଦିର ପ୍ରଶିକ୍ଷଣ ନେବେ । ଏହା ସହିତ, ୬୦ ଜଣ ମନୋନୀତ କ୍ୟାଡେଟଙ୍କୁ ଡ୍ରୋନ୍ ପରିଚାଳନାର ସ୍ୱତନ୍ତ୍ର ତାଲିମ ଦିଆଯିବ ।
ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରରୁ ଆଗାମୀ ଜାତୀୟ କ୍ୟାମ୍ପ ପାଇଁ କ୍ୟାଡେଟ୍ ମାନଙ୍କୁ ଚୟନ କରାଯିବ । ଶିବିରଟି କ୍ୟାଡେଟମାନଙ୍କ ମଧ୍ୟରେ ଶୃଙ୍ଖଳା, ଦଳଗତ କାର୍ଯ୍ୟ, ନେତୃତ୍ୱ ଏବଂ ସାହସିକତାର ମନୋଭାବ ସୃଷ୍ଟି କରିବା ସହିତ ସେମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ୱ ଏବଂ ଚରିତ୍ର ବିକାଶକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି ।
