ଲ୍ୟାମ୍ପସ ଓ ଆରଏମସି ଗୋଦାମ ଗୃହ ସ୍ଥାନାନ୍ତରକୁ ଚାନ୍ଦିଲି ବାସୀଙ୍କ ତୀବ୍ର ବିରୋଧ : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

କୋରାପୁଟ/କୋଟପାଡ଼ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା ଛତିଶଗଡ଼ ସୀମାନ୍ତ କୋଟପାଡ଼ ତହସିଲ ଅନ୍ତର୍ଗତ ଚାନ୍ଦିଲି ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଆର.ଏମ.ସି (RMC) ଏବଂ ଲ୍ୟାମ୍ପସ (LAMPS) ଗୋଦାମ ଗୃହର ସ୍ଥାନାନ୍ତରକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଚାନ୍ଦିଲି ସଦର ଓ ଆଖପାଖ ଅଞ୍ଚଳର ଶତାଧିକ ଗ୍ରାମବାସୀ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆର.ଏମ.ସି ଏବଂ ଲ୍ୟାମ୍ପସର ଗୋଦାମ ଗୃହ ନିର୍ମାଣ ନିମନ୍ତେ କୋଟପାଡ଼ ତହସିଲ ଅନ୍ତର୍ଗତ ଦେୱଡା ମୌଜାର ଖାତା ନମ୍ବର ୨୨୩ ଓ ପ୍ଲଟ ନମ୍ବର ୧୩୪ରେ ଥିବା ସରକାରୀ ପତିତ ଜମିରୁ ୮.୭୫ ଏକର ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ଲ୍ୟାମ୍ପସ ପାଇଁ ୨.୩୫ ଏକର ଏବଂ ଆର.ଏମ.ସି ପାଇଁ ୨.୩୫ ଏକର ଜମି ପ୍ରଦାନ କରାଯାଇଥିଲା।
ଅଭିଯୋଗ ଅନୁଯାୟୀ, ଗୋଦାମ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ସଂପୃକ୍ତ ଠିକା ସଂସ୍ଥା ନିର୍ଦ୍ଧାରିତ ସ୍ଥାନରେ କାର୍ଯ୍ୟ ନକରି ପିପିଲାହାଣ୍ଡି ଗ୍ରାମ ନିକଟସ୍ଥ ଏକ ବନ୍ୟା ପ୍ରଭାବିତ ନାଳ କୂଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାକୁ ନେଇ ଚାନ୍ଦିଲି ଗ୍ରାମବାସୀ ପୂର୍ବରୁ ଜୟପୁର ଉପ-ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତତ୍କାଳୀନ ଉପ-ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରି ପୂର୍ବ ନିର୍ଦ୍ଧାରିତ ସ୍ଥାନରେ କାର୍ଯ୍ୟ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କିଛି ଦିନର ନୀରବତା ପରେ, ରାଜନୈତିକ ଚାପରେ ପୁନର୍ବାର ପିପିଲାହାଣ୍ଡି ନିକଟରେ କାର୍ଯ୍ୟ ଆରମ୍ଭ କରାଯାଉଥିବାରୁ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ, ପଞ୍ଚାୟତ ମୁଖ୍ୟାଳୟରେ ଏହି କୋଠା ନିର୍ମାଣ ହେଲେ ସମସ୍ତ ପଞ୍ଚାୟତବାସୀ ଉପକୃତ ହୋଇପାରନ୍ତେ। ପ୍ରଶାସନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସ୍ଥାନରେ ପର୍ଯ୍ୟାପ୍ତ ଜମି ଥିବା ସତ୍ତ୍ୱେ, କେଉଁ ସ୍ୱାର୍ଥରେ ଏହାକୁ ଏକ ଦୁର୍ଘଟଣାପ୍ରବଣ ଓ ଅସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି, ତାହାକୁ ନେଇ ପ୍ରଶ୍ନ ଉଠିଛି।
ଅଞ୍ଚଳବାସୀଙ୍କ କହିବା କଥା ଯେ, ନିକଟରେ ଏନ.ଏମ.ଡି.ସି (NMDC) ପ୍ଲାଣ୍ଟ ଆରମ୍ଭ ହେବା ପରଠାରୁ ସ୍ଥାନୀୟ ଅଞ୍ଚଳରେ ଜମିର ମୂଲ୍ୟ ବୃଦ୍ଧି ପାଇଛି। ଫଳରେ ଚାନ୍ଦିଲି ଓ ଦେୱଡା ମୌଜାରେ ଥିବା ମୂଲ୍ୟବାନ ସରକାରୀ ଜମି ଉପରେ ଭୂ-ମାଫିଆଙ୍କ ନଜର ପଡ଼ିଛି। ସରକାରୀ କୋଠାକୁ ଅନ୍ୟତ୍ର ସ୍ଥାନାନ୍ତର କରି ଏହି ମୂଲ୍ୟବାନ ଜମିକୁ ହଡ଼ପ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ଚାଲିଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି।
ଏହି ସମ୍ବେଦନଶୀଳ ଘଟଣାରେ ଜିଲ୍ଲାପାଳ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
