
ଉମରକୋଟ:- (୧୧/୦୬/୨୦୨୬) ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮,୫୨,୩୩୨ ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବିତରଣ କରାଯାଇଛି। ଏହା ଜିଲ୍ଲାର ମୋଟ ମତଦାତାଙ୍କ ମଧ୍ୟରୁ ୯୯.୩୦ ପ୍ରତିଶତ ବୋଲି ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂଚନା ଦେଇଛି।
ବିଏଲଓମାନେ ଘରକୁ ଘର ଯାଇ ମତଦାତାଙ୍କ ନିକଟରେ ଫର୍ମ ପହଞ୍ଚାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା ବେଳେ, ଉମରକୋଟ ନିର୍ବାଚନ ମଣ୍ଡଳୀରେ ୯୮ ପ୍ରତିଶତ, ଝରିଗାଁରେ ୯୯ ପ୍ରତିଶତ, ନବରଙ୍ଗପୁରରେ ୯୯ ପ୍ରତିଶତ ଏବଂ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ୯୯ ପ୍ରତିଶତ ଫର୍ମ ବିତରଣ କାର୍ଯ୍ୟ ସମ୍ପନ୍ନ ହୋଇଛି।
ଜିଲ୍ଲାରେ ଗୁରୁବାରଠାରୁ ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଆରମ୍ଭ ହୋଇଛି। ଏକ ସ୍ୱଚ୍ଛ, ନିର୍ଭୁଲ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଏହି ସଂଶୋଧନ ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି।

ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ୨୮ ଜୁନ ୨୦୨୬ ଧାର୍ଯ୍ୟ କରାଯାଇଥିବା ବେଳେ, ଯେଉଁ ମତଦାତାମାନେ ଏପର୍ଯ୍ୟନ୍ତ ଫର୍ମ ଦାଖଲ କରିନାହାନ୍ତି ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ଥାନୀୟ ବିଏଲଓଙ୍କ ନିକଟରେ ଫର୍ମ ଦାଖଲ କରିବାକୁ ଅନୁରୋଧ କରାଯାଇଛି। ସମୟସୀମା ମଧ୍ୟରେ ଫର୍ମ ଦାଖଲ ନ କଲେ ଭୋଟର ତାଲିକାରୁ ନାମ ବାଦ ପଡ଼ିବାର ସମ୍ଭାବନା ଥିବାରୁ ଏହାକୁ ଗୁରୁତ୍ୱର ସହ ନେବାକୁ ପରାମର୍ଶ ଦିଆଯାଇଛି।
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡ଼. ମହେଶ୍ୱର ସ୍ୱାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଲକ୍ଷ୍ୟ ହାସଲ ନିକଟରେ ପହଞ୍ଚିଥିବାରୁ ସଂଶ୍ଳିଷ୍ଟ ନିର୍ବାଚନ ଅଧିକାରୀ, ସୁପରଭାଇଜର ଓ ବିଏଲଓମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି।
