ପୂର୍ତ୍ତ ବିଭାଗ ଓ ଠିକାଦାରଙ୍କ ମନମାନି :ନବନିର୍ମିତ ରାସ୍ତାରେ ଡ୍ରେନ ନାହିଁ, ବର୍ଷା ପାଣିରେ ହନ୍ତସନ୍ତ ଜନସାଧାରଣ…

add-all


ଉମରକୋଟ/ ରାଇଘର:- (୧୨/୦୬/୨୦୨୬): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦରରୁ ଗୋନା–ଫୁଟାନାଡା ଦେଇ ନିର୍ମାଣାଧୀନ ଓ ସମ୍ପ୍ରସାରିତ ହୋଇଥିବା ରାସ୍ତା କାର୍ଯ୍ୟରେ ଗୁରୁତର ଅବ୍ୟବସ୍ଥା ଓ ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ରାସ୍ତା ସମ୍ପ୍ରସାରଣ ନାମରେ ପୁରୁଣା ଡ୍ରେନଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ନୂତନ ଡ୍ରେନ ନିର୍ମାଣ କାମ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ପୂର୍ତ୍ତ ବିଭାଗର ଯନ୍ତ୍ରୀ ଓ ସମ୍ପୃକ୍ତ ଠିକାଦାର କେବଳ ଆଶ୍ୱାସନ ଦେଇ ଚାଲିଛନ୍ତି, କିନ୍ତୁ ଭୂମିସ୍ତରରେ କୌଣସି କାମ ଦେଖିବାକୁ ମିଳୁନାହିଁ। ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଜନସାଧାରଣଙ୍କ ମଧ୍ୟରେ ତୀବ୍ର କ୍ଷୋଭ ସୃଷ୍ଟି କରିଛି।


ଗତକାଲି ରାତିରେ କାଳବୈଶାଖୀ ଝଡ଼ ଓ ବର୍ଷା ସମୟରେ ରାସ୍ତା ପାର୍ଶ୍ୱରେ ଲଗାଯାଇଥିବା ପ୍ରକଳ୍ପ ଫଳକ ରାସ୍ତା ଉପରେ ଉପୁଡ଼ି ପଡ଼ିଥିଲା। ସୌଭାଗ୍ୟବଶତଃ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତି ଘଟିନଥିଲେ ମଧ୍ୟ ଏହା ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ରକ୍ଷଣାବେକ୍ଷଣକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ସାଧାରଣ ପବନରେ ଯଦି ଫଳକ ଉପୁଡ଼ି ପଡ଼ୁଛି, ତେବେ ସମ୍ପୂର୍ଣ୍ଣ ପ୍ରକଳ୍ପର ମାନ କେତେ ନିମ୍ନସ୍ତରୀୟ ତାହା ସହଜରେ ଅନୁମାନ କରାଯାଇପାରେ ବୋଲି ଅଞ୍ଚଳବାସୀ କହିଛନ୍ତି।
ବିଶେଷକରି କଦୁଭାଟା କାଳୀମନ୍ଦିର ଠାରୁ ରାଇଘର ପର୍ଯ୍ୟନ୍ତ ଡ୍ରେନ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତାର ପାଣି ଘର ଭିତରକୁ ପଶିଯାଉଛି। ଫଳରେ ଗରିବ ଓ ଦିନମଜୁରିଆ ପରିବାରଗୁଡ଼ିକ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ଜୀବନ ବିତାଉଛନ୍ତି। ଜଳ ନିଷ୍କାସନର କୌଣସି ସ୍ଥାୟୀ ବ୍ୟବସ୍ଥା ନ ଥିବାରୁ ଲୋକଙ୍କ ଦୈନନ୍ଦିନ ଜୀବନ ବ୍ୟାହତ ହେଉଥିବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ବଢ଼ିଛି।
ସ୍ଥାନୀୟ ଲୋକେ ଚେତାବନୀ ଦେଇ କହିଛନ୍ତି ଯେ, ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ ନିର୍ମାଣ କାମ ଆରମ୍ଭ ନ କରାଗଲେ ସେମାନେ ବାଧ୍ୟ ହୋଇ ନବନିର୍ମିତ ରାସ୍ତା କାଟି ପାଣି ନିଷ୍କାସନର ବ୍ୟବସ୍ଥା କରିବେ। ଏଥିସହ କୌଣସି ଅଘଟଣ ଘଟିଲେ ତାହା ପାଇଁ ପୂର୍ତ୍ତ ବିଭାଗ ଓ ସମ୍ପୃକ୍ତ ଠିକାଦାର ସିଧାସଳଖ ଭାବେ ଦାୟୀ ରହିବେ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଅଞ୍ଚଳବାସୀ ଆହୁରି ଦାବି କରିଛନ୍ତି ଯେ, ସରକାରୀ ଅର୍ଥରେ ଏଭଳି ମନମୁଖୀ ଓ ଦାୟିତ୍ୱହୀନ କାମ କରୁଥିବା ଠିକାଦାରମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉ। ଅତିଶୀଘ୍ର ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇ ବିଶାଳ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସ୍ଥାନୀୟ ଲୋକେ କଠୋର ସତର୍କବାଣୀ ଦେଇଛନ୍ତି।
(ଉମରକୋଟରୁ ରସିକ ସରକାର)

ad-week
Leave A Reply

Your email address will not be published.