ଆକ୍ସନ ମୋଡରେ ରାଇଘର ତହସିଲଦାର : ବେଆଇନ ବାଲି ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…

add-all


ଉମରକୋଟ /ରାଇଘର, (୧୩/୦୬/୨୦୨୬) ବେଆଇନ ବାଲି ଉତ୍ତୋଳନ ଓ ଚୋରାଚାଲାଣ ରୋକିବା ପାଇଁ ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ରାଇଘର ତହସିଲଦାର ମନମୋହନ ସାହୁ ଶୁକ୍ରବାର ଅପରାହ୍ନରେ ଏକ ଚଢ଼ାଉ କରି ବେଆଇନ ଭାବେ ବାଲି ପରିବହନ କରୁଥିବା ଦୁଇଟି ହାଇୱା ଗାଡ଼ିକୁ ଜବତ କରିଛନ୍ତି। ସୂଚନା ଅନୁଯାୟୀ, ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ବହୁ ପରିମାଣରେ ବାଲି ରାଇଘର ଅଞ୍ଚଳକୁ ଆସୁଥିବା ନେଇ ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା। ଏହାକୁ ଭିତ୍ତି କରି ତହସିଲଦାର ଶ୍ରୀ ସାହୁ ଅପରାହ୍ନ ଆନୁମାନିକ ପ୍ରାୟ ୪ଟା ସମୟରେ ସ୍ଥାନୀୟ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଯାଞ୍ଚ ଅଭିଯାନ ଚଳାଇଥିଲେ।
ଯାଞ୍ଚ ସମୟରେ ସିଜି–୨୭–ଏନ–୪୪୩୫ ଏବଂ ସିଜି–୦୪–ବିପି–୪୪୩୫ ନମ୍ବର ବିଶିଷ୍ଟ ଦୁଇଟି ହାଇୱା ଗାଡ଼ି ବେଆଇନ ଭାବେ ବାଲି ଚାଲାଣ କରୁଥିବା ଜଣାପଡ଼ିଥିଲା। ଆବଶ୍ୟକ କାଗଜପତ୍ର ଦେଖାଇବାରେ ବିଫଳ ହେବାରୁ ଉଭୟ ଗାଡ଼ିକୁ ଜବତ କରାଯାଇଛି। ପ୍ରଶାସନ ପକ୍ଷରୁ ବେଆଇନ ଖଣିଜ ସମ୍ପଦ ପରିବହନ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ବେଆଇନ ବାଲି ବ୍ୟବସାୟୀଙ୍କ ମଧ୍ୟରେ ଚଞ୍ଚଳତା ସୃଷ୍ଟି ହୋଇଥିବା ଦେଖାଯାଇଛି।
(ଉମରକୋଟ ରୁ, ରସିକ ସରକାର )

ad-week
Leave A Reply

Your email address will not be published.