ସାତ ଦଫା ଦାବିରେ ଗରିବ ସେନା ପକ୍ଷରୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଘେରାଉ: ମାସକ ମଧ୍ୟରେ ସମାଧାନ ନହେଲେ ଚକବନ୍ଦ ଚେତାବନୀ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଥିବା ଏକମାତ୍ର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘଦିନ ଧରି ଚାଲିଥିବା ଡାକ୍ତର ଓ ଆବଶ୍ୟକ ଉପକରଣର ଚରମ ଅଭାବକୁ ନେଇ ଗତକାଲି ‘ଗରିବ ସେନା’ ପକ୍ଷରୁ ହସ୍ପିଟାଲ ଘେରାଉ କରାଯାଇଥିଲା। ଏହି ଅବସରରେ ସଂଗଠନ ପକ୍ଷରୁ ପ୍ରଶାସନ ନିକଟକୁ ଏକ ସାତ ଦଫା ସମ୍ବଳିତ ଦାବିପତ୍ର ପ୍ରେରଣ କରାଯାଇଛି। ସଂଗଠନର କହିବା ଅନୁଯାୟୀ, ଏହି ଉପଖଣ୍ଡ ଚିକିତ୍ସାଳୟ ଉପରେ ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ପ୍ରାୟ ୫ ଲକ୍ଷ ୬୪ ହଜାର ଜନସାଧାରଣ ନିର୍ଭର କରୁଥିବା ବେଳେ ପଡ଼ୋଶୀ ରାଜ୍ୟର ଅନେକ ରୋଗୀ ମଧ୍ୟ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ମାତ୍ର ପର୍ଯ୍ୟାପ୍ତ ଡାକ୍ତର, ଆଧୁନିକ ଉପକରଣ ଓ ଜରୁରୀ ସ୍ୱାସ୍ଥ୍ୟ ସୁବିଧା ନଥିବାରୁ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଗରିବ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ, ନବରଙ୍ଗପୁର ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଉମରକୋଟ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏହି ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ- ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)କୁ ଉମରକୋଟକୁ ସ୍ଥାନାନ୍ତର କରିବା, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି, ମେଡିସିନ, ଅସ୍ଥି, ଚର୍ମ, ନାକ, ଆଖି ଆଦି ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଏବଂ ହସ୍ପିଟାଲରେ ଆବଶ୍ୟକ ସମସ୍ତ ଚିକିତ୍ସା ଉପକରଣ ଯୋଗାଇଦେବା ସାମିଲ ରହିଛି। ଏହା ସହିତ ମଳ, ମୂତ୍ର ଓ ରକ୍ତ ପରୀକ୍ଷା ହସ୍ପିଟାଲ ମଧ୍ୟରେ ସମ୍ପୂର୍ଣ୍ଣ ମାଗଣାରେ କରିବା ସହ ଏ ସମ୍ପର୍କିତ ସୂଚନା ଫଳକ ଲଗାଇବା, ରକ୍ତ ଭଣ୍ଡାରରେ ୨୪ ଘଣ୍ଟା ରକ୍ତ ଉପଲବ୍ଧ ରଖିବା, ତୁରନ୍ତ ଗୋଟିଏ ନୂତନ ଆମ୍ବୁଲାନ୍ସ ଓ ଶବବାହୀ ଗାଡ଼ି ଯୋଗାଇବା ଏବଂ ନବଜାତ ଶିଶୁଙ୍କ ପାଇଁ ଆଉ ଏକ ଆଇସିୟୁ (ICU) କକ୍ଷ ନିର୍ମାଣ କରି ବେଡ଼ ସଂଖ୍ୟା ବୃଦ୍ଧି କରିବାକୁ ଦାବି କରାଯାଇଛି। ଆସନ୍ତା ଏକ ମାସ ମଧ୍ୟରେ ଏହି ସାତ ଦଫା ଦାବି ପୂରଣ ନହେଲେ ଚାରି ବ୍ଲକ ସମେତ ଉମରକୋଟ ସହରର ଜନସାଧାରଣଙ୍କୁ ସାଥିରେ ନେଇ ବ୍ୟାପକ ଆନ୍ଦୋଳନ, ରାଜପଥ ଅବରୋଧ ଓ ଚକ ବନ୍ଦ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। (ରିପୋର୍ଟ: ରସିକ ସରକାର, ଉମରକୋଟ)
