ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ବିପୁଳ ସମ୍ପତ୍ତି ସହ ନଗଦ ଟଙ୍କା ଓ ସୁନା ଜବତ

add-all

କୋରାପୁଟ : କୋରାପୁଟ ଓ କୋଟପାଡ଼ ଅଞ୍ଚଳରୁ ମିଳିଥିବା ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ସତ୍ୟ ନାରାୟଣ ସେଠୀଙ୍କ ବିଭିନ୍ନ ସ୍ଥାନରେ ଥିବା ବାସଭବନ ଓ କାର୍ଯ୍ୟାଳୟ ଉପରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଟିମ୍‌ ଦ୍ୱାରା ଶ୍ରୀ ସେଠୀଙ୍କ କୋଟପାଡ଼ ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ଜୟପୁର ପାରାବେଡା ସ୍ଥିତ ଭଡ଼ାଘର, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର ଜହାଙ୍ଗୀରପୁରା ସ୍ଥିତ ପୈତୃକ ଗୃହ, ଜାଟଣି ମାଧିପୁର ମୌଜା ସ୍ଥିତ ହାଇଟେକ ପ୍ଲାଜାର ଫ୍ଲାଟ୍ ଏବଂ ବୋରିଗୁମ୍ମା ନିକଟସ୍ଥ ତାରାଗାଁ ସ୍ଥିତ ଦୁଇଟି ଫାର୍ମ ହାଉସରେ ଏହି ରେଡ୍‌ କରାଯାଇଛି। ଏହି ବ୍ୟାପକ ଚଢ଼ାଉ ସମୟରେ ଭିଜିଲାନ୍ସ ବିଭାଗର ୭ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ୧୧ ଜଣ ଏଏସଆଇ ସାମିଲ ହୋଇ ତଦନ୍ତ ଚଳାଇଛନ୍ତି।

ଏହି ଚଢ଼ାଉ ସମୟରେ ବର୍ତ୍ତମାନ ସୁଦ୍ଧା ନଗଦ ୫ ଲକ୍ଷ ୪୮ ହଜାର ଟଙ୍କା, ୩୪୮ ଗ୍ରାମ ସୁନା ଏବଂ ୬୦୦ ଗ୍ରାମ ରୁପା ଜବତ କରାଯାଇଛି। ଏହା ସହିତ କୋରାପୁଟ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯେପରିକି କୋରାପୁଟ, ପୋଟାଙ୍ଗୀ, ଜୟପୁର, କୋଟପାଡ଼ ଏବଂ ବୋରିଗୁମ୍ମା ଅଞ୍ଚଳରେ ତାଙ୍କର ବହୁ ପରିମାଣର ଚାଷ ଓ ଡଙ୍ଗର ଜମି ରହିଥିବା ନେଇ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀ ୧୯୯୮ ମସିହାରେ କନିଷ୍ଠ ଯନ୍ତ୍ରୀ ଭାବେ ଉପର କୋଲାବ ଡିଭିଜନ (ଅମ୍ବାଗୁଡ଼ା)ରୁ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ନବରଙ୍ଗପୁର ଜିଲ୍ଲାର ଝୋରିଗାଁ ଓ ଚନ୍ଦାହାଣ୍ଡି, କୋରାପୁଟ ଜିଲ୍ଲାର ଆଇଟିଡିଏ (ITDA) ଜୟପୁର, ବୋରିଗୁମ୍ମା ଏବଂ ବର୍ତ୍ତମାନ କୋଟପାଡ଼ ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ସହ ଅଧିକ ଖୋଳତାଳ ଜାରି ରହିଛି।

ad-week
Leave A Reply

Your email address will not be published.