
ନୟାଗଡ଼, ୧୯/୦୬(ନିସର୍ତ୍ତ) : ପୂର୍ବରୁ ମାଛ ଧରାକୁ କେନ୍ଦ୍ର କରି ଅଡାଲ ଗ୍ରାମରେ ଗଣ୍ଡଗୋଳ ଲାଗିରହି ଥିବା ବେଳେ ପୁନର୍ବାର ମାଛ ଧରାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ଅଡାଲ ଗ୍ରାମରେ ମାଛ ଧରାକୁ ନେଇ ବୁଧବାର ଦିନ ଅପରାହ୍ନ ସମୟରେ ସେହି ଗ୍ରାମର ସଭାପତି ସୁରେନ୍ଦ୍ର ନାୟକ (୪୬) ବର୍ଷ ପିତା ଭ୍ରମର ନାୟକଙ୍କୁ ୩ ଜଣ ବ୍ୟକ୍ତି ସଦାଶିବ ବେହେରା ,ଅରୁଣ ବେହେରା ଓ ଗୋପାଳ ନାୟକ ମାରଣାସ୍ତ୍ରରେ ମୁଣ୍ଡକୁ ଆଘାତ କରିଥିଲେ । ସେହି ଆକ୍ରମଣରେ ସୁରେନ୍ଦ୍ର ନାୟକଙ୍କ ମୁଣ୍ଡ ଫାଟି ଯାଇଥିଲା । ମୁଣ୍ଡ ଫାଟିବାରୁ ପ୍ରଥମେ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ତେବେ ଏହି ଘଟଣାରେ ପୋଲିସ କେସ୍ ନମ୍ବର ୧୯୪/୨୬ରେ ମାମଲା ରୁଜୁ କରି ୩ଜଣକୁ ଶୁକ୍ରବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
