ଲାଠି ଓ ପଥର ମାଡ଼ରେ ଚାଲିଗଲା ଭାଲୁର ଜୀବନ : ଭାଲୁ ମୃତ୍ୟୁ ମାମଲାରେ ୫ ଗିରଫ

add-all

ମାଲକାନଗିରି ବନ ବିଭାଗ ଅନ୍ତର୍ଗତ ମାଥିଲି ବନାଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲି ଭାଲୁ ମୃତ୍ୟୁ ମାମଲାରେ ବନ ବିଭାଗ ଓ ପୋଲିସ ମିଳିତ ଭାବେ ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ବନ୍ୟ ଭାଲୁଟି ରାସ୍ତା ଅତିକ୍ରମ କରୁଥିବା ସମୟରେ ସ୍ଥାନୀୟ କିଛି ବ୍ୟକ୍ତି ତାକୁ ଲାଠି, ଶାବଳ ଓ ପଥର ଦ୍ୱାରା ନିର୍ଦ୍ଦୟ ଭାବେ ଆକ୍ରମଣ କରିଥିଲେ। ଖବର ପାଇ ମାଲକାନଗିରି ରାପିଡ୍ ରେସକ୍ୟୁ ଟିମ୍ (RRT) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ଭାଲୁଟିକୁ ଉଦ୍ଧାର କରିଥିଲା। ପ୍ରାଥମିକ ଚିକିତ୍ସା ପରେ ତାକୁ ମାଥିଲି ବନାଞ୍ଚଳ କାର୍ଯ୍ୟାଳୟ ପରିସରକୁ ଅଣାଯାଇ ପଶୁ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ମାତ୍ର ଆହତ ଜନିତ ଗୁରୁତର ଅବସ୍ଥା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ଭାଲୁଟିର ମୃତ୍ୟୁ ଘଟିଛି।
ଏହି ବର୍ବରକାଣ୍ଡର ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ବନ ବିଭାଗ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରିଥିଲା। ମାଲକାନଗିରି ପୋଲିସର ସହାୟତାରେ ଏହି ମାମଲାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଦଳପତିଗୁଡ଼ା ଗ୍ରାମର ଗୋବିନ୍ଦ ଗଉଡ଼,ବସନ୍ତ କୁମାର ଖିଲ ଓ ଧନୁର୍ଜୟ ଗଉଡ଼ ସିଙ୍ଗାଗୁଡ଼ା ଗ୍ରାମର ମହେନ୍ଦ୍ର ଗଉଡ଼ ଚାଲାନଗୁଡ଼ା ଗ୍ରାମର ବିଷ୍ଣୁ ମାଢ଼ୀ
ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଏହି ଘଟଣା ପରେ ମାଲକାନଗିରି ବନ ବିଭାଗ ସାଧାରଣ ଜନତାଙ୍କୁ ନିବେଦନ କରିଛି ଯେ, ବନ୍ୟଜନ୍ତୁ ଦେଖିଲେ ତାଙ୍କ ବିରୋଧରେ ହିଂସାତ୍ମକ ଆଚରଣ ନକରି ତୁରନ୍ତ ବନ ବିଭାଗ କିମ୍ବା ନିକଟସ୍ଥ ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ।

ad-week
Leave A Reply

Your email address will not be published.