ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ଆଗେଇ ଚାଲିଛି

add-all

  • ଆଜି ସୁଦ୍ଧା ୮୦.୮୨ ପ୍ରତିଶତ ପରିଗଣନା ଫର୍ମର ବିଏଲଓଙ୍କ ଦ୍ୱାରା ସରିଲାଣି ଯାଞ୍ଚ
  • ପୂର୍ବରୁ କୌଣସି କାରଣ ବଶତଃ ଅନ୍ତର୍ଭୁକ୍ତ ହୋଇପାରିନଥିବା ଯୋଗ୍ୟ ଭୋଟରମାନଙ୍କ ନାମ ପୁନଃ ଅନ୍ତର୍ଭୁକ୍ତି ପାଇଁ ଫର୍ମ–୬ ସଂଗ୍ରହ କରିବାକୁ ବିଏଲଓମାନଙ୍କୁ ନିର୍ଦ୍ଦେଶ
  • ଜିଲ୍ଲାର ୮ ଜଣ ବିଏଲଓଙ୍କ ଦ୍ୱାରା ଶତପ୍ରତିଶତ ଡିଜିଟାଇଜେସନ

ଛତ୍ରପୁର : ଦୁଇ ଦିନତଳେ ଅର୍ଥାତ ୧୮.୦୬.୨୦୨୬ ତାରିଖରେ ଏକ ଓଡ଼ିଆ ଦୈନିକ ଖବରକାଗଜରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ଭୋଟର ତାଲିକାରୁ ଭୋଟରଙ୍କ ନାମ ବିଏଲଓଙ୍କ ଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ବାଦ ଦିଆଯାଉଥିବା ଖବର ପ୍ରକାଶ ପାଇଥିଲା। ଉକ୍ତ ଖବରକୁ ଗୁରୁତ୍ୱର ସହ ନେଇ ଏହାର ସତ୍ୟତା ଯାଞ୍ଚ ପାଇଁ ସମ୍ପୃକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ) – ୧୨୬, ଖଲ୍ଲିକୋଟ ବିଧାନସଭା ନିର୍ବାଚନମଣ୍ଡଳୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଇଆରଓ – ୧୨୬ ଖଲ୍ଲିକୋଟ ବିଧାନସଭା ନିର୍ବାଚନମଣ୍ଡଳୀ ସମ୍ପୃକ୍ତ ଅଂଚଳର ଏଇଆରଓ, ବିଏଲଓ ସୁପରଭାଇଜର ଏବଂ ବିଏଲଓମାନଙ୍କୁ ନେଇ କ୍ଷେତ୍ରସ୍ତରୀୟ ତଦନ୍ତ କରିଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ, ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ କୌଣସି ଭୋଟରଙ୍କ ନାମ ଭୋଟର ତାଲିକାରୁ ଉଦ୍ଦେଶ୍ୟମୂଳକ ବାଦ ଦିଆଯାଇନାହିଁ। ଏଥିସହ ବିଏଲଓମାନେ ଘରକୁ ଘର ଯାଇ ଯାଞ୍ଚ କରୁନଥିବା ନେଇ ମଧ୍ୟ କୌଣସି ଭୋଟର କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ପକ୍ଷରୁ କୌଣସି ଅଭିଯୋଗ ସମ୍ପୃକ୍ତ ଇଆରଓ ଏବଂ ଏଇଆରଓ କାର୍ଯ୍ୟାଳୟରେ ହସ୍ତଗତ ହୋଇନାହିଁ।

ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ସ୍ୱଚ୍ଛ, ନିରପେକ୍ଷ ଓ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସୁଚାରୁରୂପେ ଚାଲିଛି। ସମସ୍ତ ବିଏଲଓଙ୍କୁ ଘରକୁ ଘର ଯାଇ ଯାଞ୍ଚ କରିବା ସହ ପୂର୍ବରୁ କୌଣସି କାରଣ ବଶତଃ ଅନ୍ତର୍ଭୁକ୍ତ ହୋଇପାରିନଥିବା ଯୋଗ୍ୟ ଭୋଟରମାନଙ୍କ ନାମ ପୁନଃ ଅନ୍ତର୍ଭୁକ୍ତି ପାଇଁ ଫର୍ମ–୬ ସଂଗ୍ରହ କରିବାକୁ ବିଏଲଓମାନଙ୍କୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇଛି।

ଗଞ୍ଜାମ ଜିଲ୍ଲା ଏକ ଜନବହୁଳ ଜିଲ୍ଲା ହୋଇଥିବା ସତ୍ତ୍ୱେ ଜିଲ୍ଲାର ବିଏଲଓମାନଙ୍କ ନିଷ୍ଠାପର ଉଦ୍ୟମ ଫଳରେ ୨୦ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛି । ଜିଲ୍ଲାର ପ୍ରାୟ ଶତପ୍ରତିଶତ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ପହଞ୍ଚିସାରିଛି । ଜିଲ୍ଲାରେ ୨୪,୨୪,୯୯୦ଟି ଫର୍ମର ଡିଜିଟାଇଜେସନ ସରିସାରିଛି ଯାହା ୮୦.୮୪ ପ୍ରତିଶତ ଅଟେ । ସେହିପରି ୨୪,୨୪,୪୫୭ଟି ଫର୍ମ ବିଏଲଓମାନଙ୍କ ଦ୍ୱାରା ଯାଞ୍ଚ କରାଯାଇସାରିଛି , ଯାହା ୮୦.୮୨ ପ୍ରତିଶତ ଅଟେ । ଜିଲ୍ଲାର ୮ଜଣ ବିଏଲଓ ଶତପ୍ରତିଶତ ଡିଜିଟାଇଜେସନ କରିସାରିଛନ୍ତି । ସେମାନଙ୍କ କାର୍ଯ୍ୟକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଉଚ୍ଚ ପ୍ରଶଂସା କରିଛନ୍ତି । ଫର୍ମ ବଣ୍ଟନ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଡିଜିଟାଇଜେସନ ଏବଂ ଯାଞ୍ଚ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ସମ୍ପୃକ୍ତ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହା ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ତରବରିଆ ଭାବରେ ନ କରି ସ୍ୱଚ୍ଛ, ନିରପେକ୍ଷ ଓ ନିର୍ଭୁଲ ଭାବରେ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଜନସାଧାରଣଙ୍କୁ ଅନୁରୋଧ, କୌଣସି ପ୍ରକାରର ଭ୍ରାନ୍ତିକର ସୂଚନାରେ ବିଭ୍ରାନ୍ତ ନହୋଇ ନିର୍ବାଚନ ସମ୍ପର୍କିତ ତଥ୍ୟ ପାଇଁ କେବଳ ଅଧିକୃତ ସୂଚନା ଉପରେ ଭରସା କରନ୍ତୁ।

ad-week
Leave A Reply

Your email address will not be published.