
ମାଲକାନଗିରି : କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ମହିଳା ସରପଞ୍ଚଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ପ୍ରତିବାଦରେ ମାଲକାନଗିରି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ସରପଞ୍ଚ ସଂଘର ସଭାପତି ଶ୍ରୀନିବାସ ମୁଦୁଲିଙ୍କ ନେତୃତ୍ୱରେ ଜିଲର ସମସ୍ତ ସରପଞ୍ଚ ଏକତ୍ରିତ ହୋଇ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଏହି ଅବସରରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।
ସଂଘର ଅଭିଯୋଗ ଅନୁଯାୟୀ, ଜଣେ ସାମ୍ବିଧାନିକ ପଦବୀରେ ଥିବା ମହିଳା ସରପଞ୍ଚଙ୍କୁ ଯେଭଳି ଭାବେ ହଇରାଣ ହରକତ ଓ ମାନସିକ ନିର୍ଯାତନା ଦିଆଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଏହାଦ୍ୱାରା ଜଣେ ଜନପ୍ରତିନିଧିଙ୍କ ମାନମର୍ଯ୍ୟାଦା କ୍ଷୁଣ୍ଣ ହୋଇଛି। ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର ଦଣ୍ଡ ପ୍ରଦାନ କରିବାକୁ ସଂଘ ଦାବି କରିଛି। ଏହା ସହିତ ଏହି ନିନ୍ଦନୀୟ ଘଟଣାରେ ଯଦି କୌଣସି ବିଡିଓ କିମ୍ବା ଆଇଆଇସି ସଂପୃକ୍ତ ଅଛନ୍ତି, ତେବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି ମାଲକାନଗିରି ଜିଲ୍ଲାର ସମସ୍ତ ସରପଞ୍ଚ ଚେତାବନୀ ଦେଇଛନ୍ତି।
