ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ମାଲକାନଗିରିଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ୍ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ୱାସ୍ଥ୍ୟ ବିଭାଗ, ଆର୍‌ଡବ୍ଲୁଏସ୍‌ଏସ୍‌, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଏସ୍‌ଟି ଓ ଏସ୍‌ସି ଉନ୍ନୟନ ବିଭାଗ, ଆଇଟିଡିଏ ସମେତ ସମସ୍ତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ବୈଠକରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ , ଜାତୀୟ ସ୍ୱାସ୍ଥ୍ୟ ମିଶନ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସଗୁଡ଼ିକରେ ନିରାପଦ ପାନୀୟ ଜଳ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।

ଏହାପରେ ଜିଲ୍ଲା ଏପିଡେମିଓଲୋଜିଷ୍ଟ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବିଦ୍ୟାଳୟ ଓ ଛାତ୍ରାବାସରେ ଦୂଷିତ ପାନୀୟ ଜଳର ପ୍ରମୁଖ କାରଣ, ଜଳବାହିତ ରୋଗର ବିପଦ, ଜଳର ନିୟମିତ ଗୁଣବତ୍ତା ପରୀକ୍ଷା, କ୍ଲୋରିନେସନ୍, ଜଳ ବିଶୋଧନ ବ୍ୟବସ୍ଥାର ରକ୍ଷଣାବେକ୍ଷଣ, ଜଳ ସଂରକ୍ଷଣ ଟ୍ୟାଙ୍କର ସଫେଇ ଓ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।

ଏହା ବ୍ୟତୀତ ବୈଠକରେ ଦୀର୍ଘସ୍ଥାୟୀ କୀଟନାଶକ ମଶାରୀ ର ସଠିକ୍ ବ୍ୟବହାର, ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ହେପାଟାଇଟିସ୍‌, ଖାଦ୍ୟ, ସାପ କାମୁଡ଼ା ଓ କୁକୁର କାମୁଡ଼ା ର ପ୍ରତିରୋଧ ଏବଂ ପ୍ରାଥମିକ ପରିଚାଳନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ବର୍ଷା ଋତୁକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟ ଓ ଛାତ୍ରାବାସରେ ଆବଶ୍ୟକ ସଚେତନତା ଓ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା।

ଜିଲ୍ଲାର ୧୩୨ ଜଣ ପ୍ରଧାନଶିକ୍ଷକ ଓ ପ୍ରିନ୍ସିପାଲ ଏହି ଭର୍ଚୁଆଲ୍ ବୈଠକରେ ଯୋଗଦେଇ ନିଜ ନିଜ ବିଦ୍ୟାଳୟ ଓ ଛାତ୍ରାବାସରେ ପାନୀୟ ଜଳ ଯୋଗାଣ, ଜଳ ବିଶୋଧନ ବ୍ୟବସ୍ଥା, ଜଳ ଗୁଣବତ୍ତା ପରୀକ୍ଷା, ରକ୍ଷଣାବେକ୍ଷଣ ତଥା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ମତାମତ ରଖିଥିଲେ ଏବଂ ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ।

ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ସମସ୍ତ ସମ୍ପୃକ୍ତ ବିଭାଗକୁ ପାରସ୍ପରିକ ସମନ୍ୱୟ ରକ୍ଷା କରି ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିରନ୍ତର ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା, ନିୟମିତ ଜଳ ଗୁଣବତ୍ତା ପରୀକ୍ଷା କରିବା, ଜଳ ବିଶୋଧନ ବ୍ୟବସ୍ଥାକୁ ସକ୍ରିୟ ରଖିବା ଏବଂ ଜଳବାହିତ ରୋଗ ସମେତ ଋତୁକାଳୀନ ସଂକ୍ରାମକ ରୋଗର ପ୍ରତିରୋଧ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିରାପଦ ପାନୀୟ ଜଳ ବ୍ୟବସ୍ଥା ସହ ସମସ୍ତ ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରତିଷେଧକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ।

ad-week
Leave A Reply

Your email address will not be published.