
କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବାଲିପଡ଼ା ପଞ୍ଚାୟତର ସରକାରୀ ଜମିରୁ ବେଆଇନ ଭାବେ ବାଲି ଉତ୍ତୋଳନ ଓ ଚାଲାଣ ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବାରମ୍ବାର ବିରୋଧ ଓ ସରପଞ୍ଚଙ୍କ ପକ୍ଷରୁ ଆପତ୍ତି ଜଣାଇଥିଲେ ମଧ୍ୟ ବେଆଇନ କାର୍ଯ୍ୟ ବନ୍ଦ ହୋଇନାହିଁ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଏହି ଘଟଣା ପ୍ରତି ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ବେଆଇନ ବାଲି ଚାଲାଣ ଜାରି ରହିଛି। ଏପରିକି ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଧମକ ମିଳୁଥିବା ମଧ୍ୟ କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ, ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଲିପଡ଼ା ପଞ୍ଚାୟତବାସୀ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସମ୍ପୃକ୍ତ ପ୍ରଶାସନ ଓ ଖଣି ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।
