ଉତ୍କଳମେଲର ବରିଷ୍ଠ ସାମ୍ବାଦିକ ଦେବାଶିଷ ଦାଶଙ୍କ ମାତୃ ବିୟୋଗ

add-all

ଉମରକୋଟ/ରାଇଘର : ଉତ୍କଳମେଲର ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ନବରଙ୍ଗପୁର ଜିଲ୍ଲା ଉପସଭାପତି ଦେବାଶିଷ ଦାଶଙ୍କ ମାତୃଦେବୀ ଶୈଳବାଳା ଦାଶଙ୍କର ଗୁରୁବାର ସକାଳ ୭ଟା ୨୫ ମିନିଟ୍‌ରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ନିଜ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳେ ପରିବାରର ସମସ୍ତ ସଦସ୍ୟ ତାଙ୍କ ଶଯ୍ୟାପାର୍ଶ୍ୱରେ ଉପସ୍ଥିତ ଥିଲେ।
ସ୍ୱର୍ଗତା ଶୈଳବାଳା ଦାଶ ଜଣେ ମେଳାପି, ଧର୍ମପରାୟଣା ଓ ସ୍ନେହଶୀଳ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ସୁପରିଚିତ ଥିଲେ। ସଚ୍ଚୋଟ ଓ ନିଷ୍ଠାବାନ ସାମ୍ବାଦିକ ଭାବେ ପୁତ୍ର ଦେବାଶିଷ ଦାଶଙ୍କୁ ଗଢ଼ି ତୋଳିବାରେ ତାଙ୍କ ପ୍ରେରଣା, ତ୍ୟାଗ ଓ ସଂସ୍କାରର ଭୂମିକା ଉଲ୍ଲେଖନୀୟ ଥିଲା। ତାଙ୍କ ବିୟୋଗରେ ପରିବାର ସହ ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।
ତାଙ୍କର ବଡ଼ ପୁଅ ଆଇନଜୀବୀ କୃଷ୍ଣ ପ୍ରସାଦ ଦାଶ, ସାନ ପୁଅ ସାମ୍ବାଦିକ ଦେବାଶିଷ ଦାଶ, ବଡ଼ ଝିଅ ମଞ୍ଜୁଶ୍ରୀ, ସାନ ଝିଅ ମାନଶ୍ରୀଙ୍କ ସମେତ ପରିବାରବର୍ଗ, ସମ୍ପର୍କୀୟ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ବଡ଼ ପୁଅ କୃଷ୍ଣ ପ୍ରସାଦ ଦାଶ ମୁଖାଗ୍ନି ପ୍ରଦାନ କରିଥିଲେ।
ମାତୃ ବିୟୋଗର ଏହି ଦୁଃଖଦ ସମୟରେ ଉତ୍କଳମେଲ ପକ୍ଷରୁ ଡ଼. ପୀତବାସ ମିଶ୍ର, ବିବେକାନନ୍ଦ ଦାସ, ରବୀନ୍ଦ୍ର ମହାନ୍ତି, ପୁରୀ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ଜୟକୃଷ୍ଣ ଦାସଙ୍କ ସମେତ ବିଭିନ୍ନ ସାମ୍ବାଦିକ ସଂଗଠନ, ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବହୁ ରାଜନୈତିକ ନେତୃବୃନ୍ଦ ଏବଂ ସାମାଜିକ କର୍ମୀ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ad-week
Leave A Reply

Your email address will not be published.