
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳର ଜଣେ ୧୧ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ବାନ୍ଥପୁର ଗ୍ରାମର ଚଇ ପ୍ରଧାନ(୨୪) ଆତ୍ମହତ୍ୟା କରିଥିବା ଜଣାପଡିଛି। ଜୁଲାଇ ୭ ତାରିଖ ମଙ୍ଗଳବାର ଦିନ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଓଡ଼ଗାଁ ଥାନାରେ ହେବା ପରେ ଓଡ଼ଗାଁ ପୋଲିସ ୨୦୧/୨୬ରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।ମାଜିଷ୍ଟ୍ରେଟଙ୍କ ନିକଟରେ ନାବାଳିକାର ବୟାନ ରେକର୍ଡ କରାଯାଇ ମେଡିକାଲ ଚେକଅପ୍ କରାଯାଇଛି । ଫରେନ୍ସିକ ଦଳ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ସ୍ଥାନ ଏବଂ ଘରକୁ ଯାଇ ଅପରାଧିକ ତଦନ୍ତରେ ବୈଜ୍ଞାନିକ ପଦ୍ଧତି ଓ କୌଶଳ ପ୍ରୟୋଗ କରି ପ୍ରମାଣ ସଂଗ୍ରହ କରି ଫେରିଛନ୍ତି ।ମାତ୍ର ଗତକାଲି ଅପରାହ୍ନରେ ଦୁଷ୍କର୍ମ ଅଭିଯୁକ୍ତ ଚଇ ପ୍ରଧାନ ଆତ୍ମହତ୍ୟା କରିଥିବା ନେଇ ଓଡ଼ଗାଁ ପୋଲିସ ଖବର ପାଇଲେ ।
ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାର ଭଉଣୀ ଘର ମୋଟାବାରୀ ଗ୍ରାମରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା ।ଏହାକୁ ନେଇ ବୁଗୁଡ଼ା ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରାଯାଇଛି ।ନାବାଳିକା ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ଗତ ସୋମବାର ମଧ୍ୟାହ୍ନରେ ନାବାଳିକା ଜଣକ ଏକୁଟିଆ ଥିବା କଥା ଜାଣି ଅଭିଯୁକ୍ତ ଜଣକ ତାକୁ ଜବରଦସ୍ତ ଘର ପଛକୁ ନେଇ ତା ସହିତ ଦୁଷ୍କର୍ମ କରିଥିଲା ।ବାପା ମା ଘରକୁ ଫେରିବା ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ମାଆଙ୍କୁ କହିଥିଲା ।ଏହାକୁ ନେଇ ଓଡ଼ଗାଁ ଥାନାରେ ମଙ୍ଗଳବାର ଦିନ ଅଭିଯୋଗ ହୋଇଥିଲା ଏବଂ ଅଭିଯୁକ୍ତ ଚଇ ବୁଧବାର ଅପରାହ୍ନରେ ଆତ୍ମହତ୍ୟା କରିଥିଲା ।
