
ନୟାଗଡ଼: ନୟାଗଡ଼ ପୌରାଧକ୍ଷା ନିରୁପମା ଖଟେଇ ପଦବୀର ଅପବ୍ୟବହାର କରି ନିଜ ଘର ପାଖରେ ଥିବା ସରକାରୀ ଜମିରେ ୩ମହଲା କୋଠା ନିର୍ମାଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ହୋଇଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ କ୍ରମେ ନୟାଗଡ଼ ତହସିଲ ପକ୍ଷରୁ ଛାନଭିନ ମଧ୍ୟ ଆରମ୍ଭ ହେବା ସହିତ ନୟାଗଡ଼ ପୌର ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଆସିଛି ।ପୌରଧକ୍ଷାଙ୍କ ସରକାରୀ ଜମି ଜବରଦଖଲ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ, ନୟାଗଡ଼ ଜିଲ୍ଲାପାଳ , ନୟାଗଡ଼ ପୌର ନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ମଧ୍ୟ ଅବଗତ କରାଯାଇଛି ।ପୌରଧାକ୍ଷାଙ୍କ ସରକାରୀ ଜମିରେ ନିର୍ମିତ କୋଠା ଟି ୮ମାସ ପୂର୍ବରୁ ନିର୍ମିତ ହୋଇଥିଲେ ମଧ୍ୟ ପୌର ପରିଷଦ, ତହସିଲଦାର କିମ୍ବା ଜିଲ୍ଲା ପ୍ରଶାସନ ପ୍ରଶ୍ନ ଉଠାଇନଥିଲେ। ଏ ସମ୍ପର୍କରେ ନୟାଗଡ଼ ପୁରୁଣା ସହରର ବରିଷ୍ଠ ନାଗରିକ ପ୍ରମୋଦ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ।ନୟାଗଡ଼ ତହସିଲ ମୌଜା ଜାମୁସାହି, କିସମ ପତିତ, ଖାତା ନମ୍ବର ୬୬୨, ପ୍ଲଟ ନମ୍ବର ୧୨୧/୨୯୧୪ରେ ୬୩ ଡିସିମିଲ ଜାଗା କଲ୍ୟାଣୀ ମଣ୍ଡପ ପାଇଁ ଉଦ୍ଦିଷ୍ଟ ଥିଲା ।ଏହି ୬୩ ଡେସିମିଲି ରୁ ୬୦ ଡେସିମିଲି କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିଲା ।କଲ୍ୟାଣୀ ମଣ୍ଡପ ପାଚେରୀ ନିର୍ମାଣ ସମୟରେ ସିଧା ସଳଖ ପାଚେରୀ ନିର୍ମାଣ କରା ନଯାଇ ପୌରଧ୍ୟକ୍ଷାଙ୍କ ନିଜସ୍ଵ କୋଠା ଥିବାରୁ ସେଠାରେ ୩ଡେସିମିଲି ଜାଗା ଜାଣିଶୁଣି ପୌର ପରିଷଦ ଛାଡ଼ି ଦେଇଥିଲା ।ଏହି ୩ଡେସିମିଲି ଜାଗାରେ ୮ ମାସ ତଳେ ୩ମହଲା କୋଠା ନିର୍ମାଣ କରାଯାଇଛି ।ଏହି ଜବରଦଖଲ ଜମି ମୂଲ୍ୟ ୪୦ ଲକ୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମଧ୍ୟ ନୟାଗଡ଼ ପୌରଧକ୍ଷା ନିରୁପମା ଖଟେଇ ଏବଂ ତାଙ୍କର ସ୍ବାମୀ ଶ୍ରୀକାନ୍ତ ଖାଟେଇଙ୍କ ଠାରୁ ଏହି ମୂଲ୍ୟବାନ ଜାଗାକୁ ଉଚ୍ଛେଦ କରିବା ପାଇଁ କାହିଁକି କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗକାରୀ ପ୍ରମୋଦ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପରେ ଏବେ ପ୍ରଶାସନ ତତ୍ପର ହୋଇ ଏହି ଜାଗାକୁ ମାପଚୁପ କରୁଥିବା ସୂଚନା ମିଳିଛି।ଏହାକୁ ନେଇ ପୌରଧକ୍ଷା ଶ୍ରୀମତୀ ଖଟେଇ କହିଛନ୍ତି ଯେ ସରକାରୀ ଜମି ଜବରଦଖଲ ହୋଇନାହିଁ ।ଜାଣିଶୁଣି ଆମକୁ ବଦନାମ କରିବାକୁ ଏଭଳି କରାଯାଉଛି ।ଅନ୍ୟପକ୍ଷରେ ଶ୍ରୀମତୀ ଖାଟେଇଙ୍କ ବାସଭବନକୁ ଲାଗି ଦେବୋତ୍ତର ବିଭାଗର ୧ ଡେସିମିଲି ଜାଗାକୁ ଦୀର୍ଘ ବର୍ଷ ହେବ ଶ୍ରୀକାନ୍ତ ଖଟେଇ ଲିଜ ଆକାରରେ ପାଇଛନ୍ତି ଏବଂ ଜମି ଲିଜ ବାବଦ ଅର୍ଥ ଦେବୋତ୍ତର ବିଭାଗ ଆଦାୟ କରିଥିବା ବେଳେ ଏହାକୁ ନେଇ କମିଶନଙ୍କ କୋର୍ଟରେ ଏକ ମାମଲା ଚାଲିଥିବା ସୂଚନା ମିଳିଛି।ଦେବୋତ୍ତର କଲୋନୀରେ ଜାଗା ମାପ ବେଳେ କଲୋନୀର ୪ର୍ଥ ଓ ୫ମ ଗଳିରେ ଅଧିକାଂଶ ଲୋକ ସରକାରୀ ଜମିରେ ଘର ନିର୍ମାଣ କରିଥିବା ଜଣାପଡିଛି ।
