ବ୍ରହ୍ମକୁମାରୀସ, ଶାନ୍ତିକୁଣ୍ଡ ତରଫରୁ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଧ୍ୟାତ୍ମିକ ମୂଲ୍ୟବୋଧ ଭିତ୍ତିକ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ

ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ “Relax mind, Enhance Memory” (ରିଲେକ୍ସ ମାଇଣ୍ଡ, ଏନହେନ୍ସ ମେମୋରୀ ) ଅର୍ଥାତ ମନକୁ ପ୍ରଫୁଲ୍ଲିତ କରିବା ପୂର୍ବକ ସ୍ମୃତିଶକ୍ତିର ବିକାଶ” ବିଷୟ ସମ୍ପର୍କରେ ଏକ ପ୍ରେରଣାଦାୟକ ମାନସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ପୃର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଅନ୍ତରାଷ୍ଟ୍ରୀୟ ପ୍ରେରକ ବକ୍ତା ରାଜଯୋଗୀ ଡା. ବ୍ରହ୍ମକୁମାର ଶକ୍ତିରାଜ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଉଦବୋଧନ ଦେଇଥିଲେ ଯେ ନିଜର ବିଚାର ପ୍ରଣାଳୀକୁ ସକାରାତ୍ମକ, ସଶକ୍ତ ତଥା ଗୁଣାତ୍ମକ ଦିଶାରେ ପରିଚାଳିତ କରିବା ଯଦ୍ୱାରା ନିଜ ଅନ୍ତରର ଲୁକ୍କାୟିତ ମାନସିକ କ୍ଷମତାକୁ ଜାଗ୍ରତ କରିବା ପୂର୍ବକ ନାକରାତ୍ମକ ବିଚାରକୁ ଦୂର କରି ଜୀବନରେ ଏକାଗ୍ରତା ଏବଂ ସଫଳତା ପ୍ରାପ୍ତ କରିବା ସମ୍ଭବ ହୋଇପାରିବ।
ପୁଣି ଭ୍ରାତା ଶକ୍ତିରାଜ ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ମନକୁ କିପରି ଚିନ୍ତା ରହିତ, ଶାନ୍ତ, ସରଳ ଏବଂ ଆରାମଦାୟକ ସ୍ଥିତି ପ୍ରାପ୍ତ କରି ସ୍ମରଣ ଶକ୍ତିର ଅଭିବୃଦ୍ଧି କରାଯାଇପାରିବ ସେ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ବ୍ରହ୍ମକୁମାରୀସ ବ୍ରହ୍ମପୁର ସବଜୋନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମାଳା ମନକୁ ଏକାଗ୍ର କରିବା ପୂର୍ବକ ଭାବନାତ୍ମକ ସ୍ୱାସ୍ଥ୍ୟର ଅଭିବୃଦ୍ଧିର ସରଳ ଉପାୟମାନ ଆହରଣ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ ତଥା ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ବୃନ୍ଦଙ୍କୁ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବା ସକାଶେ ଧନ୍ୟବାଦ ଅର୍ପଣ କରିବା ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜ୍ଞାନ ବିକାଶ, ବି. ଏସ. ଇ. ଟି, ବ୍ରହ୍ମପୁର ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠନଗର, ବ୍ରହ୍ମପୁର ସ୍କୁଲ ଅଫ ନର୍ସିଙ୍ଗ, ଏମ.କେ.ସି.ଜି, ନର୍ସିଙ୍ଗ କଲେଜ, କେ. ସି. ପ୍ଲବିକ ସ୍କୂଲ, ରୋଲାଣ୍ଡ ଫାର୍ମାସ୍ୟୁଟିକଲ କଲେଜ ଆଦି ବିଭିନ୍ନ ବୈଷୟିକ ଅନୁଷ୍ଠାନର ସହସ୍ରାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ବିଶେଷ ଲାଭାନ୍ୱିତ ହୋଇଥିଲେ। ସାମ୍ବାଦିକ ତଥା ସଂଗୀତଜ୍ଞ ଭ୍ରାତା ସୁଦୀପ ସାହୁ ଏକ ଆଧ୍ୟାତ୍ମିକ ସଂଗୀତ ପରିବେଷଣ କରିଥିଲେ।
