ବାଲି ମାଫିଆଙ୍କ ଉପରେ ପୋଲିସ ଓ ଖଣି ବିଭାଗର ବଡ଼ ଚଢ଼ାଉ: ବିପୁଳ ପରିମାଣର ଅବୈଧ ବାଲି ଜବତ, ପ୍ରଶାସନର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ ) : ସୁନ୍ଦରଗଡ଼ ଜିଲ୍ଲାରେ ବାଲି ମାଫିଆଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ପୁଣି ଏକ ବଡ଼ ଧରଣର ମିଳିତ ଚଢ଼ାଉ କରାଯାଇଛି। ଜିଲ୍ଲା ଅନ୍ତର୍ଗତ ସଂଖ ନଦୀ କୂଳରୁ ଦୀର୍ଘ ଦିନ ଧରି ବ୍ୟାପକ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ଅନୁଯାୟୀ, ତିନି ଦିନ ତଳେ ଖଣି ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ସାଲଙ୍ଗାବାହାଲ, ସାହାଜବାହାଲ ଏବଂ ଦଲକି ଗ୍ରାମରେ ଚଢ଼ାଉ କରାଯାଇଥିଲା। ସେଠାରେ ଅବୈଧ ଭାବେ ଗଛିତ ଥିବା ୮୧ଟି ବାଲି ଗଦାର ମାପ କରାଯାଇ ସମୁଦାୟ ୧,୦୩,୩୮୪ ଘନ ମିଟର ବାଲି ଜବତ କରାଯାଇଥିଲା। ଏହା ସହିତ ବାଲି ପରିବହନ କରୁଥିବା ଗୋଟିଏ ଟ୍ରକକୁ ମଧ୍ୟ ଜବତ କରାଯାଇ ଭାରି ପରିମାଣର ଜରିମାନା ଆଦାୟ କରାଯିବା ସହ ତାକୁ ଖଣି ବିଭାଗର ହେପାଜତକୁ ଦିଆଯାଇଥିଲା।
ଏହି କାର୍ଯ୍ୟାନୁଷ୍ଠାନର ସେହି କ୍ରମରେ ଆଜି ପୁଣି ସୁନ୍ଦରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (SP) ଶ୍ରୀମତୀ ଅମ୍ରିତପାଲ କୌରଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଲକ୍ଷ୍ମୀପୋଷ, ସମଲେଇମୁଣ୍ଡା ଓ ତରକେରା ଗ୍ରାମରେ ବ୍ୟାପକ ଚଢ଼ାଉ କରିଛି। ଏହି ସବୁ ସ୍ଥାନରେ ମାଫିଆମାନେ ଅବୈଧ ଭାବେ ଜମା କରି ରଖିଥିବା ବାଲି ଗଦାଗୁଡ଼ିକୁ ମାପ କରାଯାଇ ବିପୁଳ ପରିମାଣର ବାଲି ଜବତ କରାଯିବା ସହ ମୋଟା ଅଙ୍କର ଜରିମାନା କରାଯାଇଥିବା ସୂଚନା ମିଳିଛି।
ଅନ୍ୟପଟେ, ଦୀର୍ଘ ଦିନ ଧରି ସରକାରଙ୍କ ପକ୍ଷରୁ ବାଲିଘାଟ ନିଲାମ କରାଯାଇ ନଥିବା ବେଳେ ଏହାର ସୁଯୋଗ ନେଇ ମାଫିଆମାନେ ନିର୍ବାଧରେ ବାଲି ଚୋରା ଚାଲାଣ ଚଳାଇଛନ୍ତି। ଫଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ରାଜ୍ୟ ରାଜପଥ (State Highway) କଡ଼ରେ ଖୁଲମଖୁଲା ଏତେ ପରିମାଣରେ ବାଲି ଗଦା ହୋଇ ରହିଥିଲେ ମଧ୍ୟ ସ୍ଥାନୀୟ କ୍ଷମତାସମ୍ପନ୍ନ ଅଧିକାରୀମାନେ ଏ ବିଷୟରେ କେମିତି କିଛି ଜାଣିପାରୁ ନଥିଲେ? ଏହାକୁ ନେଇ ଏବେ ସାଧାରଣରେ ତଥା ବୁଦ୍ଧିଜୀବୀ ମହଲରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନର ଏହି କଡ଼ା ଆଭିମୁଖ୍ୟ ଆଗକୁ ଚୋରା ଚାଲାଣ ରୋକିବାରେ କେତେଦୂର ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଲା।
