
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବଳଦୀଆଗୁଡ଼ାସ୍ଥିତ ଏସ୍ଏସ୍ଡି କ୍ୟାମ୍ପସରେ ଥିବା ଏସ୍ଏସ୍ଡି ଗାର୍ଲ୍ସ ହାଇସ୍କୁଲ ଏବଂ ଏସ୍ଏସ୍ଡି +୨ ବିଜ୍ଞାନ ଉଚ୍ଚବିଦ୍ୟାଳୟର ଛାତ୍ରାବାସରେ ଗତ ୫ ଦିନ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବାରୁ ମୋଟ ୬୮୬ ଜଣ ଅନ୍ତେବାସୀ ଛାତ୍ରଛାତ୍ରୀ ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଏବେ ଏକ ମାନବିକ ସଙ୍କଟ (Humanitarian Crisis) ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି।
ଏସ୍ଏସ୍ଡି ଗାର୍ଲ୍ସ ହାଇସ୍କୁଲରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୪୩୦ ଜଣ ଛାତ୍ରୀ ଆବାସିକ ଭାବେ ରହୁଥିବାବେଳେ, ଏସ୍ଏସ୍ଡି +୨ ବିଜ୍ଞାନ ମହାବିଦ୍ୟାଳୟରେ 100 ଜଣ ଛାତ୍ର ଓ 104 ଜଣ ଛାତ୍ରୀ ରହୁଛନ୍ତି। ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଥିବାରୁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପିଲାମାନେ ପିଇବା ପାଣି, ଗାଧୋଇବା, ଶୌଚାଳୟ ବ୍ୟବହାର ଓ ଅନ୍ୟାନ୍ୟ ନିତ୍ୟକର୍ମ ପାଇଁ ଘୋର ସମସ୍ୟାରେ ପଡ଼ିଛନ୍ତି।
ରାତିରେ ସମଗ୍ର କ୍ୟାମ୍ପସ ଅନ୍ଧାରରେ ବୁଡ଼ି ରହୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ପାଠପଢ଼ା ଓ ସ୍ୱାସ୍ଥ୍ୟକୁ ନେଇ ଗୁରୁତର ଆଶଙ୍କା ସୃଷ୍ଟି ହୋଇଛି। ବର୍ଷା ଋତୁରେ ସାପ, ବିଛା ଭଳି ବିଷାକ୍ତ ଜୀବଜନ୍ତୁର ଭୟ ମଧ୍ୟ ବଢ଼ିଯାଇଛି। ବିଦ୍ୟୁତ୍ ନଥିବାରୁ ମୋବାଇଲ ଚାର୍ଜ, ଜରୁରୀ ଯୋଗାଯୋଗ ଏବଂ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସହାୟତା ପହଞ୍ଚାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି। ଶିକ୍ଷକ କ୍ୱାର୍ଟରରେ ମଧ୍ୟ ବିଦ୍ୟୁତ୍ ସଂଯୋଗ ନଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇଛି।
ଅଭିଯୋଗ ହେଉଛି, TPSODL କନିଷ୍ଠ ଯନ୍ତ୍ରୀ , ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ (WEO), ବିଡିଓ, ପି.ଏ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (itda)ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ୫ ଦିନ ବିତିଯାଇଥିଲେ ସୁଦ୍ଧା ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରାଯାଇନାହିଁ।
ଶତାଧିକ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ମୌଳିକ ଅଧିକାର ସହ ଜଡ଼ିତ ଏହି ଘଟଣାକୁ ଗୁରୁତ୍ୱର ସହ ବିଚାର କରି ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରିବା ସହ TPSODLର ଅବହେଳାର ତଦନ୍ତ କରି ତୁରନ୍ତ ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି। ଛାତ୍ରଛାତ୍ରୀଙ୍କ ଜୀବନ ଓ ସୁରକ୍ଷା ସହ ଜଡ଼ିତ ଏହି ସମସ୍ୟାର ସମାଧାନରେ ଆଉ ବିଳମ୍ବ ନ କରିବାକୁ ଅଭିଭାବକ ଓ ସ୍ଥାନୀୟ ଲୋକ ଆହ୍ୱାନ ଜଣାଇଛନ୍ତି।
