
(ପିଏମଜିଏସୱାଇ-୪ ନିର୍ଦ୍ଦେଶାବଳୀ ସଂଶୋଧନ: କୋରାପୁଟରେ ଗ୍ରାମୀଣ ସଡ଼କ ସଂଯୋଗକୁ ମିଳିଲା ବଡ଼ ପ୍ରୋତ୍ସାହନ)
ରାୟଗଡ଼ା : କୋରାପୁଟ ସଂସଦୀୟ କ୍ଷେତ୍ରର ଦୂରଦୁରାନ୍ତ ଗ୍ରାମଗୁଡ଼ିକୁ ସର୍ବକାଳୀନ ସଡ଼କ ସଂଯୋଗ ପ୍ରଦାନ ଦିଗରେ ଏକ ବଡ଼ ସଫଳତା ମିଳିଛି। କୋରାପୁଟର ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କ ନିରନ୍ତର ଦାବୀ, ସଂସଦରେ ବାରମ୍ବାର ଉଠାଇଥିବା ପ୍ରସଙ୍ଗ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ପୁନଃ ପୁନଃ ଅନୁସରଣ ପରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY-IV)ର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି ହୋଇଛି। ସାଂସଦ ଶ୍ରୀ ଉଲାକା ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ସଂସଦରେ ମଧ୍ୟ କୋରାପୁଟର ବାସ୍ତବ ସ୍ଥିତିକୁ ଉପସ୍ଥାପନ କରିଥିଲେ। ତାଙ୍କର ଦୃଢ଼ ଦାବୀ ଥିଲା ଯେ, ଏଲଡବ୍ଲୁଇ (LWE) ପ୍ରଭାବିତ ଜିଲ୍ଲାଗୁଡ଼ିକର ଭୌଗୋଳିକ ଓ ସାମାଜିକ ପରିସ୍ଥିତିକୁ ବିଚାର କରି ଯୋଗ୍ୟତା ମାନଦଣ୍ଡକୁ କୋହଳ କରାଯାଉ।
ପୂର୍ବରୁ କୋରାପୁଟ ଜିଲ୍ଲାରେ ୨୫୦ କିମ୍ବା ତା’ଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଅଣସଂଯୁକ୍ତ ବସତିମାନେ ପିଏମଜିଏସୱାଇ-୪ ଅଧୀନରେ ସଡ଼କ ସଂଯୋଗ ପାଇଁ ବିଚାରଯୋଗ୍ୟ ଥିଲେ। କିନ୍ତୁ ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଲଡବ୍ଲୁଇ ପ୍ରଭାବିତ ଲେଗେସି’ ଓ ଥ୍ରଷ୍ଟ ପାଇଁ ଏହି ସୀମାକୁ ୧୦୦ ଜନସଂଖ୍ୟାକୁ ହ୍ରାସ କରାଯାଇଛି।କୋରାପୁଟ ଏହି ଶ୍ରେଣୀରେ ସାମିଲ ଥିବାରୁ ବର୍ତ୍ତମାନ ଅନେକ ଦୁର୍ଗମ ଓ ଅଣସଂଯୁକ୍ତ ଗ୍ରାମ ସର୍ବକାଳୀନ ସଡ଼କ ସଂଯୋଗ ପାଇବାର ସୁଯୋଗ ପାଇବେ। ଏହା ଫଳରେ ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି, ବଜାର ଏବଂ ରୋଜଗାର କ୍ଷେତ୍ରରେ ଦୂରଦୁରାନ୍ତ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହେବେ।
ସାଂସଦ ଶ୍ରୀ ଉଲାକା କହିଛନ୍ତି ଯେ, ଏପର୍ଯ୍ୟନ୍ତ କୋରାପୁଟ ସଂସଦୀୟ କ୍ଷେତ୍ରରେ ପିଏମଜିଏସୱାଇ-୪ ଅଧୀନରେ ୨୯୭ଟି ସଡ଼କକୁ ଅନୁମୋଦନ ମିଳିସାରିଛି। ସଂଶୋଧିତ ନିର୍ଦ୍ଦେଶାବଳୀ ଲାଗୁ ହେବା ପରେ ଏହି ସଂଖ୍ୟାକୁ ୫୦୦ରୁ ଅଧିକ ସଡ଼କରେ ପହଞ୍ଚାଇବା ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, କୋରାପୁଟର ପ୍ରତ୍ୟେକ ଯୋଗ୍ୟ ବସତିକୁ ସର୍ବକାଳୀନ ସଡ଼କ ସଂଯୋଗ ନ ମିଳିବା ପର୍ଯ୍ୟନ୍ତ ତାଙ୍କର ପ୍ରୟାସ ଓ ଅନୁସରଣ ଜାରି ରହିବ। ଗ୍ରାମୀଣ ସଡ଼କ ସଂଯୋଗ କେବଳ ଯାତାୟାତର ସୁବିଧା ନୁହେଁ ବରଂ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଆର୍ଥିକ ପ୍ରଗତିର ମୂଳଭିତ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି।
