ରାୟଗଡ଼ା ନାଗାବଳୀ ନଦୀର ଉପରମୁଣ୍ଡରେ ଜେକେ କାଗଜ କଳର ବେଆଇନ ଆଡ଼ିବନ୍ଧ, ତାକୁ ନେଇ ରାୟଗଡ଼ାରେ ଅସନ୍ତୋଷ, ସତ୍ୟତା ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ : ଉପଜିଲ୍ଲାପାଳ

ରାୟଗଡା : ରାୟଗଡ଼ା ଜିଲ୍ଲାର ନାଗାବଳୀ ନଦୀର ଉପରମୁଣ୍ଡରେ ଜେକେ ପେପର୍ ମିଲ ପକ୍ଷରୁ ବାଲିବସ୍ତା ପକାଇ ବେଆଇନ ଆଡ଼ିବନ୍ଧ ନିର୍ମାଣ କରାଯାଉଥିବା ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ଭାବେ ଦୃଷ୍ଟି ଦେଇଛନ୍ତି। ଘଟଣାର ତଦନ୍ତ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଥିବା ବେଳେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ପ୍ରକାଶ କରିଛନ୍ତି। ଦିର୍ଘ ୪୦ ବର୍ଷ ପରେ ରାୟଗଡ଼ା ପ୍ରଶାସନ ପକ୍ଷରୁ ଏପରି ଏକ କମିଟି ଗଠନକୁ ଜିଲ୍ଲାରେ ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି । ଅଭିଯୋଗ ଅନୁସାରେ ଜେକେ କାଗଜକଳର ଉପସଭାପତି ବିନୟ କୁମାର ଦ୍ୱିବେଦୀ ଓ ଲୋକସମ୍ପର୍କ ଅଧିକାରୀ ସ୍ମୃତିରେଖା କରଙ୍କ ତତ୍ତ୍ୱାବଧାନରେ ନାଗାବଳୀ ନଦୀଗର୍ଭରେ ବ୍ୟାପକ ପରିମାଣରେ ବାଲିବସ୍ତା ପକାଯାଉଥିବା ଦେଖିବାକୁ ମିଳିଛି । ଏହି ବାଲିବସ୍ତା ପକାଇବା କାର୍ଯ୍ୟକ୍ରମରେ ଶତାଧିକ ଶ୍ରମିକ ନିୟୋଜିତ ଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ଏହି କାର୍ଯ୍ୟ ଫଳରେ ନଦୀର ସ୍ୱାଭାବିକ ଜଳପ୍ରବାହ ବାଧାପ୍ରାପ୍ତ ହେଉଛି। ତଳମୁଣ୍ଡ ଅଞ୍ଚଳକୁ ପର୍ଯ୍ୟାପ୍ତ ପାଣି ପହଞ୍ଚୁନଥିବାରୁ ଚାଷଜମି ପ୍ରଭାବିତ ହେଉଛି। ସେହିପରି ନଦୀକୂଳ କ୍ଷୟ ଯୋଗୁ ଚାଷଜମି ନଦୀଗର୍ଭରେ ଲୀନ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି।
ସ୍ଥାନୀୟ ବାସିନ୍ଦା ଚିରଞ୍ଜୀବୀ କାଡ୍ରାକା କାରଖାନାରୁ ବର୍ଜ୍ୟଜଳ ନଦୀକୁ ଛଡ଼ାଯାଉଥିବା ଅଭିଯୋଗ ମଧ୍ୟ ଉଠାଇଛନ୍ତି। ଅନ୍ୟପକ୍ଷରେ , ଜେକେ ପେପର୍ ମିଲ୍ କର୍ତ୍ତୃପକ୍ଷ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କମ୍ପାନୀର କହିବା ଅନୁଯାୟୀ ନଦୀରେ କୌଣସି ଆଡ଼ିବନ୍ଧ ନିର୍ମାଣ କରାଯାଉନାହିଁ। ପ୍ଲାଣ୍ଟକୁ ପାଣି ଯିବାରେ ବାଧକ ସୃଷ୍ଟି କରୁଥିବା ବାଲିକୁ ମାତ୍ର ସଜଡ଼ା ଯାଉଛି ଏବଂ ନଦୀର ଗତିପଥ ପରିବର୍ତ୍ତନ କରିବାର ପ୍ରଶ୍ନ ଉଠୁନାହିଁ। ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀ ଜେନା କହିଛନ୍ତି ନଦୀର ଗତିପଥକୁ କେହି ପରିବର୍ତ୍ତନ କରିପାରିବେ ନାହିଁ କିମ୍ବା ବାଲିବସ୍ତା ପକାଇ ବନ୍ଧ ନିର୍ମାଣ କରିପାରିବେ ନାହିଁ। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିବାରୁ କମ୍ପାନୀକୁ ସତର୍କ କରାଯାଇଥିଲା। ବର୍ତ୍ତମାନ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ଏବଂ ଅଭିଯୋଗର ସତ୍ୟତା ମିଳିଲେ କାହାକୁ ବି ଛାଡ଼ ଦିଆଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏପରିକି ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ ନଦୀଗର୍ଭରେ ଉଚ୍ଚକ୍ଷମତାସମ୍ପନ୍ନ ଯନ୍ତ୍ର ବ୍ୟବହାର କରି ବିରାଟ ବାଲିବସ୍ତା ରଖାଯାଇ ପ୍ରାୟ ୯୬ ପ୍ରତିଶତ ପାଣି କାରଖାନାର ଆବଶ୍ୟକତା ପାଇଁ ଅଟକାଇ ନିଆଯାଉଛି। ଫଳରେ ତଳମୁଣ୍ଡର ଚାଷୀ ଓ ସାଧାରଣ ଲୋକଙ୍କ ପାଇଁ ଅଳ୍ପ ପାଣି ଛଡ଼ାଯାଉଥିବା ସେମାନେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୫ ମାର୍ଚ୍ଚ ୧୩ରେ ବିଧାନସଭାରେ ବିଧାୟକ କାଡ୍ରାକା ଆପାଲାସ୍ୱାମୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଏହି ବନ୍ଧ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଅନୁମତି ଦିଆଯାଇନଥିଲା ଏବଂ ନଦୀଗର୍ଭରୁ ଏହାକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସ୍ଥାନୀୟଙ୍କ ଅଭିଯୋଗ ସରକାରଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ନଦୀଗର୍ଭରୁ ବାଲିବସ୍ତା ହଟାଯାଇନାହିଁ । ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଜେକେ କାଗଜ କଳ ର ଏପରି କାର୍ଯ୍ୟକଳାପକୁ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହେଉଛି।
