
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅଞ୍ଚଳର ଜଣେ କମ୍ପୁଟର ଶିକ୍ଷକ ଅନଲାଇନ୍ ଠକେଇର ଶିକାର ହୋଇ ମୋଟ ୪୭, ୩୪୪ ଟଙ୍କା ହରାଇଥିବା ଅଭିଯୋଗ ଆସିଛି।ଠକେଇର ଶିକାର ହୋଇଥିବା କମ୍ପ୍ୟୁଟର ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରଥମେ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ସହିତ ନୟାଗଡ଼ ସାଇବର ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ଜୁଲାଇ ୧୨ ତାରିଖ ତାଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଖାତାରୁ ତାଙ୍କର ବିନା ଅନୁମତିରେ ୟୁପିଆଇ ମାଧ୍ୟମରେ ପର୍ଯ୍ୟାୟ କ୍ରମେ ୩୦ ହଜାର, ୭ହଜାର ୮୫୦, ୬ହଜାର ୮୦୦,୨ ହଜାର୬୯୪ ଟଙ୍କା ଉଠାଣ ହୋଇଛି ।
ଏହିପରି ସମସ୍ତ କାରବାରର ପରିମାଣ ୪୭ ହଜାର ୩୪୪ ଟଙ୍କା ବୋଲି ଜଣାପଡିଛି। ଏହି କାରବାର ପାଇଁ ସେ କୌଣସି ଅନୁମୋଦନ କରିନାହାନ୍ତି ତେଣୁ ତାଙ୍କର ବ୍ୟାଙ୍କ ଖାତାକୁ ଠକେଇ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି ବୋଲି ସନ୍ଦେହ ହେଉଛି । ଏହାକୁ ନେଇ ସନ୍ତୋଷ ବ୍ୟାଙ୍କ କର୍ତୃପକ୍ଷଙ୍କ ସହିତ ଅବଗତ କରିବା ସହିତ ତଦନ୍ତ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ଏବଂ ନୟାଗଡ଼ ସାଇବର ଥାନାରେ ଅଭିଯୋଗ ପଞ୍ଜିକରଣ କରି ଘଟଣାର ତଦନ୍ତ କରି ଦୋଷୀ ମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
