ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଚିକିତ୍ସା ଅବହେଳା : ଗୁରୁତର ରୋଗୀଙ୍କୁ ବେଡରୁ କାଢ଼ିବା ଅଭିଯୋଗ

Independence

ନୟାଗଡ଼ (ନିସର୍ତ୍ତ) : ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ରୋଗୀଙ୍କୁ ଅବହେଳା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ବେଡ୍‌ରୁ କାଢ଼ି ଦିଆଯାଇଥିବା ରୋଗୀଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ ,ନୟାଗଡ ଜିଲ୍ଲା ରଣପୁର ବ୍ଳକ୍ କେରଣ୍ଡାଟାଙ୍ଗୀ ପଞ୍ଚାୟତ ଗୌରଚନ୍ଦ୍ରପୁର ଗ୍ରାମର ଦେବରାଜ ରାଉତ ତାଙ୍କ ପତ୍ନୀ ମୀରା ରାଉତ (୩୫)ଙ୍କୁ ଗୁରୁତର ଅବସ୍ଥାରେ ଶନିବାର ଦିନ ମଧ୍ୟାହ୍ନ ସମୟରେ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ନିଆ ଯାଇଥିଲା। ମୀରାଙ୍କର ମୁଣ୍ଡ ଓ ଦେହରେ ପ୍ରବଳ ଯନ୍ତ୍ରଣା ହେବାରୁ ସେ ବାରମ୍ବାର ଅଚେତ ହୋଇପଡୁଥିଲେ । ଡାକ୍ତର ଆଶିଷ କୁମାର ଜେନା ମୀରାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ରେଫର୍ କରି ଦେଇଥିଲେ। କିନ୍ତୁ ଭୁବନେଶ୍ଵର ନେବାକୁ ଆମ୍ବୁଲାନ୍ସ ମିଳି ନଥିବାରୁ ଡାକ୍ତର ସୁରକ୍ଷାକର୍ମୀଙ୍କ ମାଧ୍ୟମରେ ଗୁରୁତର ମୀରାଙ୍କୁ ବେଡ୍‌ରୁ ବାହାର କରିଦେଇଥିବା ଶ୍ରୀ ରାଉତ ଅଭିଯୋଗ କରିଛନ୍ତି । ଶ୍ରୀ ରାଉତ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେବା ପରେ ସରପଞ୍ଚ ପ୍ରଗତି ମହାପାତ୍ର ଅସୁସ୍ଥ ଥିବାରୁ ତାଙ୍କ ସ୍ବାମୀ ରାଜେଶ ମହାପାତ୍ର ପହଞ୍ଚି ମୀରାଙ୍କ ଅବସ୍ଥା ଦେଖିଥିଲେ । ପରେ ରୋଗୀଙ୍କ ପ୍ରତି ଦୃଷ୍ଟି ଦେବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ଖରାପ ବ୍ୟବହାର କରିବା ସହ ଗାଳି ଗୁଲଜ କରିଥିବା ରାଜେଶ ଅଭିଯୋଗ କରିଛନ୍ତି । ସେ ତୁରନ୍ତ ବାହାରକୁ ଯାଇ ଏକ ଘରୋଇ ଆମ୍ବୁଲାନ୍ସରେ ଗୁରୁତର ମୀରାଙ୍କୁ ଭୁବନେଶ୍ଵର ପଠାଇଥିଲେ। ଅପର ପକ୍ଷେ ଡାକ୍ତର ରାଜେଶଙ୍କ ନାମରେ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏ ନେଇ ସରପଞ୍ଚ ଶ୍ରୀମତୀ ମହାପାତ୍ର ଚିକିତ୍ସାଳୟ ସୁପରିଟେଣ୍ଡେଣ୍ଟଙ୍କୁ ଅଭିଯୋଗ କରିବା ସହ ଏ ସମ୍ଵନ୍ଧରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

ad-week
Leave A Reply

Your email address will not be published.