ରାଏବଗା ପୋଲିସକୁ ବଡ଼ ସଫଳତା: ଚୋରି ହୋଇଥିବା ଅଟୋ ଉଦ୍ଧାର, ମାଲିକଙ୍କୁ ହସ୍ତାନ୍ତର

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଚୋରି ହୋଇଥିବା ଏକ ଯାତ୍ରୀବାହୀ ଅଟୋକୁ ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଏହାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି।

ସୂଚନା ଅନୁଯାୟୀ, ରାଏବଗା ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଯେ, ରୀଥାଟୋଲି ଜଙ୍ଗଲର ଏକ ନିର୍ଜନ ସ୍ଥାନରେ ଏକ ଯାତ୍ରୀବାହୀ ଅଟୋ (ନଂ- OD 14 U 5001) ଅପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ସେଠାରେ କୌଣସି ବ୍ୟକ୍ତି ଉପସ୍ଥିତ ନଥିଲେ। ଖବର ପାଇ ରାଏବଗା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଦିବ୍ୟ କୁମାର ଉରାମ ଏବଂ ଏସ.ଆଇ. (SI) ସୁଶାନ୍ତ ଜେନା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଟୋଟିକୁ ଜବତ କରି ଥାନାକୁ ଆଣିଥିଲେ।

ପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିଥିଲା ଯେ, ଗତ ୧୨/୦୭/୨୦୨୬ ରିଖ ବିଳମ୍ବିତ ରାତିରେ କୁତ୍ରା ଥାନା ଅନ୍ତର୍ଗତ ରାଇବହାଲ ଗ୍ରାମର ଜଗଦୀଶ ବରୁଆଙ୍କ ଘର ସମ୍ମୁଖରୁ ଏହି ଅଟୋଟି ଚୋରି ହୋଇଥିଲା। ସକାଳୁ ଅଟୋଟି ନଥିବା ଦେଖି ଜଗଦୀଶ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ଏ ନେଇ ସେ ୧୩/୦୭/୨୦୨୬ ରିଖରେ କୁତ୍ରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କୁତ୍ରା ପୋଲିସ ମାମଲା ନମ୍ବର 139/26 ରୁଜୁ କରି ତଦନ୍ତ ଚଳାଇଥିଲା।

ଅଟୋଟି ଜବତ ହେବା ପରେ ରାଏବଗା ଥାନା ଅଧିକାରୀ କୁତ୍ରା ପୋଲିସ ସହ ଯୋଗାଯୋଗ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ କୁତ୍ରା ଥାନାର ଏ.ଏସ.ଆଇ. (ASI) ସୁନୀଲ ବିଶ୍ୱାଲ ଗାଡ଼ିର ପ୍ରକୃତ ମାଲିକ ଜଗଦୀଶ ବରୁଆଙ୍କୁ ଧରି ରାଏବଗା ଥାନାରେ ପହଞ୍ଚିଥିଲେ। ସେଠାରେ ସମସ୍ତ କାଗଜପତ୍ର ଯାଞ୍ଚ ହେବା ପରେ ଅଟୋଟିକୁ ସସମ୍ମାନେ ଜଗଦୀଶଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

ad-week
Leave A Reply

Your email address will not be published.