
ନୟାଗଡ଼ : କନ୍ୟାଭ୍ରୂଣ ହତ୍ୟା ପାଇଁ ଅପବାଦ ମୁଣ୍ଡାଇଥିବା ନୟାଗଡ଼ ଜିଲ୍ଲାରେ ସଚେତନତା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଏଥିରେ ସୁଧାର ଆସିବାର ନାଁ ଧରୁନି ।କନ୍ୟାଭ୍ରୂଣ ହତ୍ୟା ଓ ନାବାଳିକା ବିବାହ ନୟାଗଡ଼ ଜିଲ୍ଲା ପାଇଁ ସାମାଜିକ ସମସ୍ୟା ସୃଷ୍ଟି ହେବା ସହିତ ଜିଲ୍ଲା ପ୍ରଶାସନ, ରାଜନେତା, ବୁଦ୍ଧିଜୀବୀଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି ।
ନୟାଗଡ଼ ଜିଲ୍ଲାରେ ୨୦୦୭ ମସିହାରେ କନ୍ୟାଭ୍ରୂଣ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା ।ଜିଲ୍ଲାରେ ୧୯୯୧ ଜନଗଣନା ଅନୁଯାୟୀ ୧୦୦୦ ପୁଅରେ ୯୫୦ ଜଣ ଝିଅ ଥିବା ବେଳେ ୨୦୦୧ ଜନଗଣନାରେ ୧୦୦୦ପୁଅରେ ୯୦୪ ଝିଅ, ୨୦୧୧ ଜନଗଣନାରେ ୧୦୦୦ ପୁଅରେ ୮୫୫ଝିଅ ରହିଥିଲେ । ଏନଏଫଏଏସି ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ୧୦୦୦ ପୁଅରେ ୭୯୪ ଝିଅ ରହିଛି ।ମାତ୍ର ସ୍ବାସ୍ଥ୍ୟ ବିଭାଗ ସର୍ଭେ ଅନୁସାରେ ୧ହଜାର ପୁଅରେ ୮୧୭ ଜଣ ଝିଅ ଅଛନ୍ତି । ଝିଅ ସଂଖ୍ୟା କମିବାର ସମସ୍ୟାର ମୂଳ କାରଣ ଖୋଜିବା ବେଳକୁ ଅତି ସାଙ୍ଘାତିକ କଥା ସାମ୍ନାକୁ ଆସିଛି ।ଯେଉଁ ଗର୍ଭବତୀ ମହିଳା ମାନେ କନ୍ୟା ସନ୍ତାନ ଚାହୁଁନାହାଁନ୍ତି ସେମାନେ ମମତା କାର୍ଡ ପାଇଁ ଯୋଗାଯୋଗ କରୁନାହାନ୍ତି ଏବଂ ଭ୍ରୁଣ ଚିହ୍ନଟ ହେବା ପର୍ଯ୍ୟନ୍ତ ସେମାନେ ଗର୍ଭବତୀ ହୋଇଥିବା କଥା ଲୁଚାଇ ରଖୁଛନ୍ତି।ଯେଉଁ ମହିଳା ମମତା ପଞ୍ଜିକରଣ ପରେ ଗର୍ଭପାତ କରୁଛନ୍ତି ସେମାନଙ୍କୁ ମମତା ତାଲିକାରୁ ବାଦ ଦିଆଯାଉଛି ।ଏହା ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖୁନଥିବା ବେଳେ ଆଶା ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ଘୋଟାଲା କରାଯାଉଅଛି।ବେଆଇନ ଗର୍ଭପାତ କରୁଥିବା ମହିଳା ମାନଙ୍କ ସଂପର୍କରେ ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ରିପୋର୍ଟ କରୁନାହାନ୍ତି ।ବେଆଇନ ଗର୍ଭପାତ କରିବାକୁ ଇଛୁକ ଥିବା ମହିଳାଙ୍କୁ ଦଲାଲଙ୍କ ମାଧ୍ୟମରେ ଜିଲ୍ଲା ବାହାର କ୍ଲିନିକ୍ ଓ ନର୍ସିଂହୋମକୁ ପଠାଯାଉଛି ।ତୃଣମୂଳ ସ୍ତରରୁ କରାଯାଉଥିବା ଏପରି ଘୃଣ୍ୟ କାର୍ଯ୍ୟକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଣଦେଖା କରିବା ଏବେ ସାଙ୍ଘାତିକ ସାମାଜିକ ସମସ୍ୟା ସୃଷ୍ଟି ହୋଇଛି।ନୟାଗଡ଼ ସହରର କେତେକ କ୍ଲିନିକରେ ବେଆଇନ ଗର୍ଭପାତ ହେଉଥିବା ବେଳେ ଅଧିକାଂଶ ଗର୍ଭପାତ କଟକ ଜିଲ୍ଲା ନରସିଂହପୁର ଓ ଖୋର୍ଦ୍ଧାରେ କରାଯାଉଛି।କନ୍ୟା ସନ୍ତାନ ପ୍ରତି ଅନାଦର ଓ ଅର୍ଥ ରୋଜଗାର ଆଶାରେ ଦଲାଲ ମାନେ ବେଆଇନ ଗର୍ଭପାତ କରୁଥିବା ବେଳେ ଏହା ନୟାଗଡ଼ ଜିଲ୍ଲା ପାଇଁ ଏକ ବଡ଼ ସାମାଜିକ ସମସ୍ୟା ସୃଷ୍ଟି କରିଛି ।
