ପର୍ଲିଆଗୁଡ଼ାରେ ପ୍ରଥମ ଥର ପହଞ୍ଚିଲେ ବିଧାୟକ ନରସିଂ ଭତ୍ରା ; ଗ୍ରାମବାସୀଙ୍କ ସମସ୍ୟା ଶୁଣି ଶୀଘ୍ର ସମାଧାନର ପ୍ରତିଶ୍ରୁତି ଦେଲେ

add-all

ଉମରକୋଟ/ଝରୀଗାଁ (୨୭/୦୬/୨୦୨୬)
ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଅନ୍ତର୍ଗତ ଚଚା ପଞ୍ଚାୟତର ପର୍ଲିଆଗୁଡ଼ା ଗ୍ରାମ ଶନିବାର ଦିନ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ଝରୀଗାଁ ବିଧାୟକ ଶ୍ରୀ ନରସିଂ ଭତ୍ରା ଏହି ଦୁର୍ଗମ ଗ୍ରାମକୁ ଗସ୍ତ କରି ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବିଧାୟକଙ୍କ ଗସ୍ତକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା।
ଗ୍ରାମବାସୀମାନେ ବିଧାୟକଙ୍କୁ ଉଷ୍ମ ସ୍ୱାଗତ ଜଣାଇବା ସହ ଦୀର୍ଘଦିନ ଧରି ଭୋଗୁଥିବା ମୌଳିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଅବଗତ କରାଇଥିଲେ। ବିଶେଷ କରି ପର୍ଲିଆଗୁଡ଼ା–ପାଳିଆ ସଂଯୋଗ ରାସ୍ତାର ଅତ୍ୟନ୍ତ ଶୋଚନୀୟ ଅବସ୍ଥା, ଯାତାୟାତରେ ଅସୁବିଧା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ସମ୍ପର୍କରେ ଗ୍ରାମବାସୀମାନେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ।


ବିଧାୟକ ଶ୍ରୀ ନରସିଂ ଭତ୍ରା ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ପର୍ଲିଆଗୁଡ଼ା–ପାଳିଆ ରାସ୍ତାର ସ୍ଥିତିକୁ ସ୍ୱୟଂ ପରିଦର୍ଶନ କରିଥିଲେ। ରାସ୍ତାର ଉନ୍ନତି ପାଇଁ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ଶୀଘ୍ର ଗ୍ରହଣ କରାଯିବ ଏବଂ ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାରୀ ସ୍ତରରେ ପ୍ରୟାସ କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।
ଏହାପରେ ବିଧାୟକ ଚଚା ପଞ୍ଚାୟତର ଗୋବାଗୁଡ଼ା ସତୀଘାଟ ଡ୍ୟାମ୍ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ସମୀକ୍ଷା କରିଥିଲେ। ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ଥିବା ସମସ୍ୟାଗୁଡ଼ିକର ସମାଧାନ ସହ ଜଳସେଚନ, କୃଷି ଏବଂ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥରେ ଏହାର ଉପଯୋଗିତା ବଢ଼ାଇବା ପାଇଁ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରାଯିବ ବୋଲି ସେ କହିଥିଲେ।
ଏହି ଅବସରରେ ବିଧାୟକ କହିଥିଲେ ଯେ, ରାଜ୍ୟ ସରକାର ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ, ମୌଳିକ ସୁବିଧାର ସମ୍ପ୍ରସାରଣ ଏବଂ ଗରିବ ଓ ଅବହେଳିତ ବର୍ଗର ଲୋକଙ୍କ କଲ୍ୟାଣ ପ୍ରତି ସଦା ପ୍ରତିବଦ୍ଧ। ଲୋକଙ୍କ ସମସ୍ୟାର ସମାଧାନ ଓ ବିକାଶମୂଳକ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ ବୋଲି ସେ ପୁନର୍ବାର ଦୋହରାଇଥିଲେ।
ବିଧାୟକଙ୍କ ଏହି ଗସ୍ତ ସମୟରେ ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ, ବିଧାୟକ ପ୍ରତିନିଧି ଗଣପତି ସାହୁ, ମହେଶ୍ୱର ତିୱାରୀ, ପ୍ରଫୁଲ ପ୍ରଧାନୀ, ପିତାମ୍ବର ପୂଜାରୀ, ଗୋପୀନାଥ ଗୌଡ଼ଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ। ବିଧାୟକଙ୍କ ଏହି ଗସ୍ତ ଦ୍ୱାରା ଦୀର୍ଘଦିନ ଧରି ଅବହେଳିତ ଥିବା ପର୍ଲିଆଗୁଡ଼ା ଅଞ୍ଚଳର ବିକାଶ ପ୍ରତି ନୂତନ ଆଶା ସଞ୍ଚାର ହୋଇଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.