
ନୟାଗଡ଼ (ନିସର୍ତ୍ତ): ସରପଞ୍ଚ ଉଦ୍ଘାଟନ କଲେ ସ୍ଵଂୟ ଚାଳିତ ସୌର ନଳକୂପ ,ଦୂର ହେଲା ଡେଙ୍ଗାଝରି ଗାଁର ପାନୀୟ ଜଳ ସମସ୍ୟା । ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଦର୍ପନାରାୟଣପୁର ପଞ୍ଚାୟତ ଅଧିନସ୍ଥ ଡେଙ୍ଗାଝାରି ଗ୍ରାମରେ ୩୦୦ରୁ ଉର୍ଦ୍ଧ ଲୋକ ବାସକରନ୍ତି । ସେହି ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଥିଲା । ଲୋକମାନେ ପାଣି ପାଇଁ ୨ କିମି ରାସ୍ତା ଦୂର ଯାଉଥିଲେ । ଏବଂ ଦୂଷିତ ଜଳ ପିଇବା ଦ୍ଵାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ ।
ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କରିନଥିଲା ପ୍ରଶାସନ। ଖବର ପ୍ରସାରଣ ହେବା ପରେ ପ୍ରଶାସନ ଦୃଷ୍ଟି ଦେଇଥିଲା । ଏବଂ ସରପଞ୍ଚ ସସ୍ମିତା ରାଉତ ଡେଙ୍ଗାଝାରି ଗ୍ରାମକୁ ଆସି ଲୋକଙ୍କ ପାନୀୟ ଜଳ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏଥି ସହିତ ଏହାର ଖୁବ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ତେବେ ଶ୍ରୀମତୀ ରାଉତ ପଞ୍ଚାୟତ ପାଣ୍ଠିରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରି ଏକ ନଳକୂପ ଖୋଳି ଥିବା ବେଳେ ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ୨ଲକ୍ଷ ୭୫ ହଜାର ବିନିମୟରେ ଏକ ସୌର ଚାଳିତ ନଳକୂପ ଯୋଗାଇ ଦେଇଥିଲେ । ସୋମବାର ଦିନ ମଧ୍ୟାହ୍ନ ସମୟରେ ସରପଞ୍ଚ ଶ୍ରୀମତୀ ରାଉତଙ୍କ ଉଦ୍ୟମରେ ସୌର ଚାଳିତ ନଳକୂପର ଉଦ୍ଘାଟନ ହୋଇ ଯାଇଛି । ଯାହାକୁ ନେଇ ଗ୍ରାମବାସି ମାନଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏହି ଅବସରରେ ଗ୍ରାମବାସୀମାନେ ଶ୍ରୀମତୀ ରାଉତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଭବ୍ୟ ସ୍ଵାଗତ କରିଥିଲେ । ଗ୍ରାମର ଅନ୍ୟାନ୍ୟ ସମସ୍ୟା ଦୂର କରିବା ପାଇଁ ଶ୍ରୀମତୀ ରାଉତ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
