ଢାମଣାହାଣ୍ଡି ଠାକୁରାଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା-ରୁପା ଅଳଙ୍କାର ଚୋରି; ପୋଲିସ୍ ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ

କୋଟପାଡ଼ / କୋରାପୁଟ : କୋରାପୁଟ ଜିଲ୍ଲା ଛତିଶଗଡ଼ ସୀମାନ୍ତ କୋଟପାଡ଼ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ବୁତ୍ତମାନେ ବାରମ୍ବାର ବିଭିନ୍ନ ଘର ଏବଂ ମନ୍ଦିରକୁ ଲକ୍ଷ୍ୟ କରି ଚୋରି କରୁଥିଲେ ସୁଦ୍ଧା, ପୋଲିସ୍ ଚୋରମାନଙ୍କୁ ଧରିବାରେ ବିଫଳ ହେଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଢାମଣାହାଣ୍ଡି ସ୍ଥିତ ରାଜପଥ କଡ଼ରେ ଥିବା ଠାକୁରାଣୀ ମନ୍ଦିରରୁ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଛି। ଗତ ରବିବାର ରାତିରେ ଅଜଣା ଦୁର୍ବୁତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ କୋଟପାଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନ୍ୟପଟେ, ସେହି ଗ୍ରାମର ଶିବ ମନ୍ଦିରର ମଧ୍ୟ ତାଲା ଭଙ୍ଗାଯାଇଥିବା ନଜରକୁ ଆସିଛି, ମାତ୍ର ସେଠାରୁ କୌଣସି ସାମଗ୍ରୀ ଚୋରି ହୋଇନାହିଁ।
ଅଞ୍ଚଳରେ ଏପରି ବାରମ୍ବାର ଚୋରି ଘଟଣା ଘଟୁଥିଲେ ମଧ୍ୟ ପୋଲିସ୍ ଦୁର୍ବୁତ୍ତଙ୍କୁ ଧରିବାରେ ଅସମର୍ଥ ହେଉଥିବାରୁ, ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
