କୋଟିଆରେ ଚାଲୁଥିବା ସ୍ୱତନ୍ତ୍ର ଗଭୀର ପୁନଃନିରୀକ୍ଷଣ (SIR-2026) କାର୍ଯ୍ୟକ୍ରମର ସମୀକ୍ଷା କଲେ ଉପ-ଶାସନ ସଚିବ ଜିତେନ୍ଦ୍ର କୁମାର ପାତ୍ର

କୋରାପୁଟ / କୋଟିଆ : ରାଜ୍ୟରେ ଚାଲୁଥିବା ସ୍ୱତନ୍ତ୍ର ଗଭୀର ପୁନଃନିରୀକ୍ଷଣ (Special Intensive Revision – SIR)-୨୦୨୬ ଅନ୍ତର୍ଗତ ଦାବି ଓ ଆପତ୍ତି ଗ୍ରହଣ ପ୍ରକ୍ରିୟାର ସମୀକ୍ଷା ପାଇଁ ଆଜି ଓଡ଼ିଶା ସରକାରଙ୍କ ଉପ-ଶାସନ ସଚିବ (ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରତିନିଯୁକ୍ତ) ଜିତେନ୍ଦ୍ର କୁମାର ପାତ୍ର କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ଅଞ୍ଚଳ ଗସ୍ତ କରିଛନ୍ତି।
ଏହି ଗସ୍ତ ଅବସରରେ ଶ୍ରୀ ପାତ୍ର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିବା ସହ ଚାଲୁଥିବା ଦାବି ଓ ଆପତ୍ତି ଗ୍ରହଣ, ଭୋଟର ତାଲିକାରେ ନାମ ସଂଯୋଜନ, ବିଲୋପ ଏବଂ ସଂଶୋଧନ ସମ୍ବନ୍ଧୀୟ ଆବେଦନଗୁଡ଼ିକର ସ୍ଥିତି ସମୀକ୍ଷା କରିଥିଲେ। ଏଥିସହ ସେଠାରେ ଉପସ୍ଥିତ ନିର୍ବାଚନ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀ (BLO) ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।
ସୁରକ୍ଷିତ, ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ ମତଦାତା ତାଲିକା ପ୍ରସ୍ତୁତିକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ। ଦାବି ଓ ଆପତ୍ତି ସମ୍ବନ୍ଧୀୟ ସମସ୍ତ ଆବେଦନକୁ ନିୟମାନୁସାରେ ଯାଞ୍ଚ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଷ୍ପତ୍ତି ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହାସହ କୌଣସି ବି ଯୋଗ୍ୟ ମତଦାତା ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ କହିଥିଲେ।
ଏହି ସମୀକ୍ଷା ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ଓ ନିର୍ବାଚନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି SIR-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି, ଗ୍ରହଣ କରାଯାଇଥିବା ଆବେଦନର ସଂଖ୍ୟା ଏବଂ ସେଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ସମ୍ପର୍କରେ ଉପ-ଶାସନ ସଚିବଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
