ରଣପୁର ପୋଲିସ ଦ୍ୱାରା ୫.୫ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ…

add-all

ନୟାଗଡ଼,:(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ପୋଲିସ ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନକୁ ଜୋରଦାର କରି ଜଣେ ଯୁବକଙ୍କ ନିକଟରୁ ୫.୫ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ଏକ ମୋଟରସାଇକେଲ, ଏକ ମୋବାଇଲ ଫୋନ ଓ ₹୧,୧୦,୩୫୦ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୦ ମିନିଟ ସମୟରେ ରଣପୁର ଥାନାର ଏସ୍‌.ଆଇ. ହାସିନା ପ୍ରଧାନ ସଦଳବଳେ ଚଣ୍ଡେଶ୍ୱର ମନ୍ଦିର ନିକଟରେ ସକାଳ ପେଟ୍ରୋଲିଂ କରୁଥିବା ବେଳେ ଏକ ମୋଟରସାଇକେଲ (ନଂ OD 25 4285) ଆରୋହୀ ପୋଲିସକୁ ଦେଖି ସନ୍ଦେହଜନକ ଭାବେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହାପରେ ପୋଲିସ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚରୁ ଉକ୍ତ ବ୍ୟକ୍ତି ରଣପୁର ଥାନା ଅନ୍ତର୍ଗତ କଦମସାହି ଗ୍ରାମର ସ୍ୱପ୍ନେଶ୍ୱର ବେହେରା ଓରଫ ମନୋଜ ବେହେରା (୨୨) ବୋଲି ଜଣାପଡ଼ିଥିଲା। ଏନ୍‌.ଡି.ପି.ଏସ୍. ଆଇନର ଧାରା–୫୦ ଅନୁଯାୟୀ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରାଯାଇ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ଦେହ ତଲାସୀ କରାଯାଇଥିଲା। ତଲାସୀ ବେଳେ ତାଙ୍କ ନିକଟରୁ ୫.୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଏହା ସହିତ ତାଙ୍କ ବ୍ୟବହୃତ ମୋଟରସାଇକେଲ, ଏକ ମୋବାଇଲ ଫୋନ ଏବଂ ₹୧,୧୦,୩୫୦ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଘଟଣାସ୍ଥଳରେ ଜବତ ତାଲିକା, ଓଜନ ପତ୍ର ଏବଂ ସିଲ୍ ନମୁନା ସହ ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତଙ୍କ ବିରୋଧରେ ଏନ୍‌.ଡି.ପି.ଏସ୍. ଆଇନ, ୧୯୮୫ର ଧାରା–୨୧(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଜବତ ମାଦକ ଦ୍ରବ୍ୟର ଉତ୍ସ ଏବଂ ଏହା ସହିତ ଜଡିତ ଅନ୍ୟ ବ୍ୟକ୍ତିମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି। ରଣପୁର ପୋଲିସ ପକ୍ଷରୁ ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି କୁହାଯାଇଥିବା ବେଳେ ସାଧାରଣ ଜନତାଙ୍କୁ ଏପରି ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପ୍ରଦାନ କରି ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

ad-week
Leave A Reply

Your email address will not be published.