
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପଛପାଖରେ ଥିବା ଖାଲି ପରିସରରେ ଅସ୍ଥାୟୀ ଗୋଶାଳା ଚାଲୁ କରାଯିବ। ଏନେଇ ବୁଧବାର ଓଡ଼ଗାଁ ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ପ୍ରକାଶ ଚନ୍ଦ୍ର ପଣ୍ଡିତ ଓ ପ୍ରାଣୀ ଚିକିତ୍ସକ ରିପ୍ତେଶ ମହାପାତ୍ରଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। ଓଡ଼ଗାଁ ଏନ୍ଏସି ପାଇଁ କୁମ୍ଭିଆପଲ୍ଲୀ ସରହଦରେ ସ୍ଥାୟୀ ଗୋଶାଳା ନିର୍ମାଣ ନିମନ୍ତେ ଏନ୍ଏସି ଓ ତହସିଲ ପ୍ରଶାସନର ସହମତିରେ ସ୍ଥାନ ଚିହ୍ନଟ ହୋଇସାରିଛି। ତେବେ ସ୍ଥାୟୀ ଗୋଶାଳା ନିର୍ମାଣ ଓ କାର୍ଯ୍ୟକ୍ଷମ ହେବାକୁ ଅଧିକ ସମୟ ଲାଗିବ। ତେଣୁ ସେ ପର୍ଯ୍ୟନ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପଛପାଖ ଖାଲି ପରିସରକୁ ଅସ୍ଥାୟୀ ଗୋଶାଳା ଭାବେ ବ୍ୟବହାର କରିବାକୁ ବୈଠକରେ ସହମତି ପ୍ରକାଶ ପାଇଛି।
ପ୍ରାଥମିକ ପର୍ଯ୍ୟାୟରେ ଏନ୍ଏସିର ଜଣେ କର୍ମଚାରୀ ଗୋଶାଳାର ଦାୟିତ୍ୱରେ ରହିବେ।
ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦିଆଯିବ। ପରବର୍ତ୍ତୀ ସମୟରେ ତୃତୀୟ ପକ୍ଷର ସହଯୋଗରେ ଏହାକୁ ଅଧିକ ସୁସଂଗଠିତ ଓ ସକ୍ରିୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ବୁଲା ଗାଈଗୋରୁଙ୍କ ଯୋଗୁଁ ରାସ୍ତାରେ ଘଟୁଥିବା ଦୁର୍ଘଟଣା ହ୍ରାସ ନିମନ୍ତେ ଓଡ଼ଗାଁ ଗୋଶେବକ ସଭ୍ୟ, ଏନ୍ଏସି କର୍ମଚାରୀ ଓ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ଆଜି ଅପରାହ୍ନରେ ବୁଲା ଗାଈଗୋରୁଙ୍କ ବେକରେ ରେଡିୟମ୍ ବେଲ୍ଟ ଲଗାଇବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ମଧ୍ୟ ଆରମ୍ଭ କରାଯାଇଛି। ସୂଚନା ଥାଉକି ଗୋରୁଗାଈ ଖୋଲାରେ ବୁଲିବା ସମୟରେ ଗୋଶାଳା ମଧ୍ୟରେ ବନ୍ଧା ହେଲେ ସେମାନଙ୍କୁ ମାଲିକମାନେ ମୁକୁଳାଇବା ବେଳେ ଜୋରିମାନା ଦେବାକୁ ପଡିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।
