ଲଗାଣ ବର୍ଷାରେ ବୁଡ଼ିଲା ବାଇପାସ୍

add-all

ଉମରକୋଟ–ରାଇଘର ସଡ଼କ ସଂଯୋଗ ବିଚ୍ଛିନ୍ନ ପୂର୍ତ୍ତ ବିଭାଗ ଓ ଠିକାଦାରଙ୍କ ଅବହେଳା ପାଇଁ ସାଧାରଣ ଜନତା ହନ୍ତସନ୍ତ; ଅସ୍ଥାୟୀ ବ୍ୟବସ୍ଥାର ବିଫଳତା ଉପରେ ଉଠିଲା ପ୍ରଶ୍ନ

ଉମରକୋଟ : ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଉମରକୋଟ–ରାଇଘର ମୁଖ୍ୟ ସଡ଼କର ବେହେଡ଼ା ନିକଟରେ ନିର୍ମାଣାଧୀନ ସେତୁ ପାଖରେ ତିଆରି କରାଯାଇଥିବା ଅସ୍ଥାୟୀ ବାଇପାସ୍ ସମ୍ପୂର୍ଣ୍ଣ ବର୍ଷାଜଳରେ ବୁଡ଼ିଯାଇଛି। ଫଳରେ ଉମରକୋଟ ଓ ରାଇଘର ମଧ୍ୟରେ ସଡ଼କ ସଂଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ହଜାର ହଜାର ଲୋକ ଦୁର୍ଭୋଗର ସମ୍ମୁଖୀନ ହୋଇଛନ୍ତି।
ପ୍ରବଳ ସ୍ରୋତରେ ବାଇପାସ୍ ଉପରେ ପାଣି ବହୁଥିବାରୁ କୌଣସି ଯାନବାହନ ଚଳାଚଳ କରିପାରୁନାହିଁ। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାତ୍ରୀ, ଆମ୍ବୁଲାନ୍ସ ସମେତ ଛୋଟ ଓ ବଡ଼ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିବା ଦେଖାଯାଇଛି। ଜରୁରୀ କାମରେ ଯାଉଥିବା ଲୋକ, ରୋଗୀ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ପଡ଼ିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବେହେଡ଼ା ଠାରେ ସେତୁ ନିର୍ମାଣ କାମ ଦୀର୍ଘଦିନ ଧରି ଚାଲୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ବର୍ଷା ଋତୁ ପୂର୍ବରୁ ସୁରକ୍ଷିତ ଓ ଉଚ୍ଚ ବିକଳ୍ପ ରାସ୍ତାର ବ୍ୟବସ୍ଥା କରାଯାଇଥାନ୍ତା ହେଲେ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ବାରମ୍ବାର ଏହି ସମସ୍ୟା ଦେଖାଦେଉଥିବା ସତ୍ତ୍ୱେ ମଧ୍ୟ ପୂର୍ତ୍ତ ବିଭାଗ ଓ କାର୍ଯ୍ୟନିର୍ବାହୀ ସଂସ୍ଥା ପକ୍ଷରୁ ଦୀର୍ଘସ୍ଥାୟୀ ସମାଧାନ କରାଯାଇନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବୁଦ୍ଧିଜୀବୀମାନଙ୍କ କହିବା ଅନୁସାରେ, ପୁରୁଣା ସେତୁଟି ସୀମିତ ଭାବେ ଚଳାଚଳ ଯୋଗ୍ୟ ଥିଲା। ନୂଆ ସେତୁ ନିର୍ମାଣ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ କାମର ଧୀରଗତି ଏବଂ ବର୍ଷା ଋତୁକୁ ଦୃଷ୍ଟିରେ ରଖି ଯଥେଷ୍ଟ ବିକଳ୍ପ ବ୍ୟବସ୍ଥା ନ କରିବା ଫଳରେ ସାଧାରଣ ଲୋକଙ୍କୁ ଏହାର ଭାର ବୋହିବାକୁ ପଡ଼ୁଛି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ରାଇଘର ଅଞ୍ଚଳର ଗୁରୁତର ରୋଗୀମାନେ ଉମରକୋଟ କିମ୍ବା ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଠିକ୍ ସମୟରେ ପହଞ୍ଚିପାରୁନାହାନ୍ତି। ଆପତ୍କାଳୀନ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେହିପରି ଅଦାଲତ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଅନ୍ୟାନ୍ୟ ଜରୁରୀ କାମ ପାଇଁ ଯାଉଥିବା ଲୋକମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଭାରତମାଳା ପ୍ରକଳ୍ପର ନୂଆ ରାସ୍ତା ମଧ୍ୟ ବନ୍ଦ ଥିବାରୁ ରାଇଘରରୁ ଉମରକୋଟର ୨୯ କିଲୋମିଟର ଦୂରତା ଅତିକ୍ରମ କରିବା ପାଇଁ ବର୍ତ୍ତମାନ ପ୍ରାୟ ୫୦ କିଲୋମିଟର କାଦୁଅ ଓ ଖରାପ ରାସ୍ତା ଦେଇ ବୁଲି ଯିବାକୁ ପଡ଼ୁଛି। ଏହା ଲୋକଙ୍କ ସମୟ, ଅର୍ଥ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।
ଅଞ୍ଚଳବାସୀଙ୍କ ପ୍ରଶ୍ନ, ପ୍ରତିବର୍ଷ ବର୍ଷା ହେବା ଏକ ସ୍ୱାଭାବିକ ଘଟଣା ହୋଇଥିବା ସତ୍ତ୍ୱେ ପୂର୍ତ୍ତ ବିଭାଗ କାହିଁକି ପୂର୍ବରୁ ପ୍ରସ୍ତୁତି ନେଉନାହିଁ? ନିର୍ମାଣାଧୀନ ପ୍ରକଳ୍ପରେ ଲୋକଙ୍କ ସୁରକ୍ଷିତ ଯାତାୟାତକୁ କାହିଁକି ପ୍ରାଥମିକତା ଦିଆଯାଉନାହିଁ? ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ? ଏହାର ଉତ୍ତର ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବି ଜୋର ଧରିଛି।
ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗକୁ ତୁରନ୍ତ ଘଟଣାର ସମୀକ୍ଷା କରି ବିକଳ୍ପ ଯାତାୟାତ ବ୍ୟବସ୍ଥା, ନିର୍ମାଣ କାମର ଗତି ବଢ଼ାଇବା ଏବଂ ଦାୟିତ୍ୱରେ ଅବହେଳା ଥିଲେ ତାହାର ଯଥୋଚିତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ad-week
Leave A Reply

Your email address will not be published.