ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତିକୁ ନେଇ ଲାଞ୍ଚ, ଠିକା ସଂସ୍ଥା ବିରୋଧରେ ଅଭିଯୋଗ ଆଣିଲେ ଆଶାୟୀ । ପ୍ରମାଣ ମିଳିଲେ ହେବ ତଦନ୍ତ : ସିଡିଏମ୍ଓ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ପାରାମେଡିକାଲ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଞ୍ଚ କାରବାରର ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ନିଯୁକ୍ତି ଦାୟିତ୍ୱ ପାଇଥିବା ଏକ ଘରୋଇ ସଂସ୍ଥା ଆଶାୟୀ ପ୍ରାର୍ଥୀଙ୍କଠାରୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦାବି କରୁଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ କିଛି ଅଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ନର୍ସିଂ ଅଫିସର, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନ, ରେଡିଓଗ୍ରାଫର, ଫିଜିଓଥେରାପିଷ୍ଟ, ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ ଓ ପରାମର୍ଶଦାତା ସମେତ ବିଭିନ୍ନ ପଦବୀ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ ଏକ ଭୁବନେଶ୍ୱର ଭିତ୍ତିକ ସଂସ୍ଥାକୁ ନିଯୁକ୍ତି ପ୍ରକ୍ରିୟା ଦିଆଯାଇଥିଲା। ସାକ୍ଷାତକାର ପାଇଁ ଭୁବନେଶ୍ୱର ଯାଇଥିବା ପ୍ରାର୍ଥୀମାନଙ୍କୁ ଚାକିରି ଦେବା ନାଁରେ ଟଙ୍କା ମାଗାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅମିତ ଅହମ୍ମଦ ହୁସେନ କହିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ତାଙ୍କ ପାଖକୁ ଆସିନାହିଁ। ଅଭିଯୋଗ ମିଳିଲେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଏନଏଚଏମ୍‌ର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ମୌସୁମୀ ମିଶ୍ର ମଧ୍ୟ ଅଭିଯୋଗର ସତ୍ୟତା ଯାଞ୍ଚ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ଆଦିବାସୀ ଅଞ୍ଚଳର ଯୋଗ୍ୟ ଯୁବକ-ଯୁବତୀଙ୍କ ପାଇଁ ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ ଏଭଳି ଦୁର୍ନୀତି ଅଭିଯୋଗକୁ ନେଇ ବିଭିନ୍ନ ସଂଗଠନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।

ପୂର୍ବରୁ ମଧ୍ୟ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଏହିପରି ନିଯୁକ୍ତି ଦାୟିତ୍ୱ ପାଇଥିବା ଏକ ଘରୋଇ ସଂସ୍ଥା ପିଲାଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଥିବା ବେଳେ ସେହି ଘଟଣାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀ ସାମିଲ ଥିବା କଥା ସାମ୍ନାକୁ ଆସିଥିଲା। ତେବେ ବର୍ତମାନ ପୁଣି ଏଭଳି ଅଭିଯୋଗ ପରେ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବାର ଅବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.