ଜିଲ୍ଲାପାଳଙ୍କ ବାସ ଭବନ ସମ୍ମୁଖ ଗୁରୁପ୍ରିୟା ବାଳିକା ଛାତ୍ରାବାସରେ ଅବ୍ୟବସ୍ଥା, ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ, ମଙ୍ଗଳ ବିଭାଗର କାର୍ଯ୍ୟଶୈଳୀ ସଂଦେହ ଘେରରେ

add-all

ମାଲକାନଗିରି, ୧ ଅଗଷ୍ଟ : ଜିଲ୍ଲାପାଳଙ୍କ ବାସ ଭବନ ସମ୍ମୁଖରେ ଥିବା ଗୁରୁପ୍ରିୟା ବାଳିକା ଛାତ୍ରାବାସରେ ଗତ ତିନି ଦିନ ଧରି ପ୍ରଶାସନିକ ଅବ୍ୟବସ୍ଥା ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଛାତ୍ରାବାସର ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ପ୍ରସୂତି ଛୁଟିରେ ଥିବାବେଳେ ତାଙ୍କ ସ୍ଥାନରେ ଅନ୍ୟ କୌଣସି ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କୁ ନିୟମାନୁସାରେ ଚାର୍ଜ ଦିଆଯାଇନଥିବାରୁ ପ୍ରାୟ ୨୦୦ ଜଣ କୋମଳମତି ଛାତ୍ରୀଙ୍କ ସୁରକ୍ଷା, ପରିଚାଳନା ଓ ଦୈନନ୍ଦିନ ବ୍ୟବସ୍ଥାକୁ ନେଇ ଉଦ୍ବେଗ ସୃଷ୍ଟି ହୋଇଛି ।

ଅଭିଯୋଗ ଅନୁଯାୟୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପାଖରେ ମଧ୍ୟ ଏହି ବିଷୟରେ ସ୍ପଷ୍ଟ ସୂଚନା ନଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବା ପରେ ପ୍ରତିଥର “ଆପଣଙ୍କ ମାଧ୍ୟମରେ ବିଷୟଟି ଜାଣିଲୁ, ତୁରନ୍ତ ପଦକ୍ଷେପ ନେବୁ” ବୋଲି ଉତ୍ତର ମିଳୁଥିବା କୁହାଯାଉଛି। ଏହାକୁ ନେଇ ବିଭାଗୀୟ ତଦାରଖ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ବର୍ତ୍ତମାନର ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରୀ ନୂତନ ଭାବେ ବ୍ଲକରେ ଯୋଗଦେଇଥିବାରୁ ଏହି ଛାତ୍ରାବାସ ସମ୍ପର୍କରେ ଅବଗତ ନଥିବା କହିଥିବାବେଳେ, ଅଭିଯୋଗ ହେଉଛି ଯେ ପ୍ରସୂତି ଛୁଟିରେ ଥିବା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଛାତ୍ରାବାସର ବିଭିନ୍ନ ବ୍ୟବସ୍ଥା ବୁଝୁଛନ୍ତି ଏବଂ ନାମକୁ ମାତ୍ର ଜଣେ ମେଟ୍ରନ ଙ୍କୁ ଚାର୍ଜ ଦିଆଯାଇଥିବା କୁହାଯାଉଛି।

ଆହୁରି ଅଭିଯୋଗ ହେଉଛି ଯେ, ପ୍ରସୂତି ଛୁଟିରେ ଯିବା ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କୁ ଯଥାବିଧି ସୂଚନା ଦିଆଯାଇନଥିଲା ଏବଂ ନିୟମାନୁସାରେ ବିକଳ୍ପ ଦାୟିତ୍ୱ ହସ୍ତାନ୍ତର ମଧ୍ୟ କରାଯାଇନଥିଲା। ଏହା ଯଦି ଜିଲ୍ଲା ସଦରରେ ଥିବା ଏକ ଛାତ୍ରାବାସର ସ୍ଥିତି, ତେବେ ଚିତ୍ରକୋଣ୍ଡା, ମାଥିଲି, ମହୁପଦର, ଗୋବିନ୍ଦପାଲି ଭଳି ଦୁର୍ଗମ ଅଞ୍ଚଳର ଛାତ୍ରାବାସ ଓ ବିଦ୍ୟାଳୟଗୁଡ଼ିକର ସ୍ଥିତି କିପରି ଥିବ, ତାହା ସହଜରେ ଅନୁମାନ କରାଯାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହିପରି ସମସ୍ୟା ନେଇ ପ୍ରତିଦିନ ଖବର ପ୍ରକାଶ ପାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ସମ୍ପର୍କ କରିବାକୁ ପଡୁଥିବା ମଧ୍ୟ ଅଭିଯୋଗ ହେଉଛି।

ଅଭିଯୋଗକାରୀମାନଙ୍କ ଦାବି ହେଉଛି, ସମ୍ପୃକ୍ତ ବିଭାଗର ଅଧିକାରୀ ଓ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରି ନିରପେକ୍ଷ ତଦନ୍ତ କରାଗଲେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିପାରେ। ଏକ ପରିବାରକୁ କେନ୍ଦ୍ର କରି ପରିଚାଳନା ଚାଲୁଥିବା ଏବଂ ଉପରିସ୍ଥ ଅଧିକାରୀଙ୍କ ଅଗୋଚରରେ ବିଭିନ୍ନ କାର୍ଯ୍ୟ ହୋଇଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। କିଛି ଲୋକ ଏପରି ଅନିୟମିତତା ମାଧ୍ୟମରେ ପ୍ରଶାସନ, ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ କ୍ଷତି ହେଉଥିବା ଦାବି କରିଛନ୍ତି।

ad-week
Leave A Reply

Your email address will not be published.