
ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଚୋରାଚାଲାଣ ଉପରେ ପ୍ରଶାସନ ପକ୍ଷରୁ କୋଡ଼ାପ୍ରହାର କରାଯାଇଛି। ଆଜି ଖଣି ବିଭାଗ, ରାଜସ୍ୱ ବିଭାଗ ଏବଂ ପୋଲିସର ମିଳିତ ଟିମ୍ ବେଆଇନ ବାଲି ଗଦା ଉପରେ ଚଢ଼ାଉ କରି ବାଲି ବୋଝେଇ ୧୨ଟି ୧୬-ଚକିଆ ହାଇବା ଗାଡ଼ି ଜବତ କରିବା ସହ ଥାନାରେ ଅଟକ ରଖିଛନ୍ତି।

ସଲଙ୍ଗାବାହାଲ ଅଞ୍ଚଳର ଖାତା ନମ୍ବର ୧୩୦ରେ ଥିବା ଏକ ବେଆଇନ ବାଲି ଗଦାରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବାଲି ଚୋରାଚାଲାଣ ହେଉଥିବା ନେଇ ସୂଚନା ମିଳିବା ପରେ ଖଣି ବିଭାଗ ଓ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ମିଳିତ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତପାସ ସମୟରେ ଜବତ ହୋଇଥିବା ୧୨ଟି ହାଇବା ଗାଡ଼ି ମଧ୍ୟରୁ କୌଣସି ଗାଡ଼ି ପାଖରେ ବୈଧ ଟ୍ରାନ୍ସପୋର୍ଟ ପରମିଟ୍ (TP) ନଥିବା ଜଣାପଡ଼ିଥିଲା। ଫଳରେ ଅଧିକାରୀମାନେ ଗାଡ଼ିଗୁଡ଼ିକୁ ଜବତ କରି ରାଏବଗା ଥାନା ଜିମ୍ମାରେ ଦେଇଛନ୍ତି।
ଏହି ମିଳିତ ଚଢ଼ାଉରେ ବୀରମିତ୍ରପୁର ରାଜସ୍ୱ ନିରୀକ୍ଷକ ଗୌରୀ ନାଏକ, ଆର୍ଆଇ ଆଲୋକ ଆଧା, ଖଣି ବିଭାଗର ସନ୍ଦୀପ ଦଣପତି, ରାଏବଗା ଥାନା ଏସ୍ଆଇ ସୁଶାନ୍ତ ଜେନା ଏବଂ ଏଏସ୍ଆଇ ସୁନନ୍ଦା ନାଏକ ପ୍ରମୁଖ ସାମିଲ ଥିଲେ। ଅଞ୍ଚଳରେ ବେଆଇନ ବାଲି ଚୋରାଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ସଜାଗ ରହିଛି ଏବଂ ଆଗାମୀ ଦିନରେ ଏହିପରି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
