ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି, ବର୍ଷା ସତ୍ତ୍ୱେ ଜିଲ୍ଲା ପ୍ରଶାସନର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ

ବ୍ରହ୍ମପୁର : ଦେଶର ପ୍ରଥମ ନାଗରିକ ତଥା ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଏହି ଗସ୍ତ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ସମସ୍ତ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନିଆଯାଉଛି। ବର୍ଷା ସତ୍ତ୍ୱେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦିନରାତି କାର୍ଯ୍ୟରେ ନିୟୋଜିତ ରହିଛନ୍ତି।
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଷ୍ଟ୍ରପତିଙ୍କ ଗସ୍ତପଥରେ ସଡ଼କର ମରାମତି, ପରିମଳ ବ୍ୟବସ୍ଥା, ସୌନ୍ଦର୍ଯ୍ୟୀକରଣ, ଆଲୋକୀକରଣ, ହୋର୍ଡିଂ ସ୍ଥାପନ, ସ୍ୱାଗତ ତୋରଣ ନିର୍ମାଣ, ରଙ୍ଗରୋଗଣ ଏବଂ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ସାଜସଜ୍ଜା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ତପ୍ତପାଣିଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମଗ୍ର ଗସ୍ତପଥରେ ସ୍ୱଚ୍ଛତା, ସବୁଜିମା ବୃଦ୍ଧି, ରାସ୍ତାକଡ଼ର ସୌନ୍ଦର୍ଯ୍ୟୀକରଣ ଏବଂ ପରିବେଶର ଆକର୍ଷଣୀୟତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିବା ବେଳେ ପୁଲିସ, ଟ୍ରାଫିକ୍, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ପାନୀୟ ଜଳ, ପରିମଳ ଓ ଯୋଗାଯୋଗ ବିଭାଗ ସମେତ ସମସ୍ତ ବିଭାଗ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି। ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ପ୍ରସ୍ତୁତିର ସମୀକ୍ଷା କରୁଥିବାବେଳେ ପ୍ରତ୍ୟେକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ରାଷ୍ଟ୍ରପତିଙ୍କ ଏହି ଗଞ୍ଜାମ ଗସ୍ତକୁ ଜିଲ୍ଲା ପାଇଁ ଏକ ଐତିହାସିକ ଅବସର ଭାବେ ବିବେଚନା କରାଯାଉଛି। ଏହି ଗସ୍ତ ସଫଳ, ସୁରକ୍ଷିତ ଓ ସ୍ମରଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛି।
