
ମାଲକାନଗିରି : ହଜି ଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ଫୋନ୍ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଫେରାଇବା ପାଇଁ ମାଲକାନଗିରି ପୋଲିସ ପକ୍ଷରୁ ଦୃଢ଼ ପ୍ରୟାସ ଜାରି ରହିଛି। ଏହି କ୍ରମରେ ମାଲକାନଗିରି ସାଇବର ଥାନା ଏବଂ ସାଇବର ସେଲର ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଥିବା ୩୪ଟି ମୋବାଇଲ ଫୋନ୍ ସୋମବାର ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।
ଜିଲ୍ଲା ସଦରସ୍ଥିତ ସାଇବର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ରଶ୍ମି ରଞ୍ଜନ ସେନାପତି ଏହି ସୂଚନା ଦେଇ କହିଥିଲେ ଯେ, ଏସ୍ପି ମାଲକାନଗିରିଙ୍କ ନେତୃତ୍ୱରେ ହଜି ଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ଉଦ୍ଧାରକୁ ପ୍ରାଥମିକତା ଦିଆଯାଉଛି। ସାଇବର ଥାନା ଓ ସାଇବର ସେଲର ମିଳିତ ପ୍ରୟାସରେ ଚୋରି ଓ ହଜିଯାଇଥିବା ମୋବାଇଲଗୁଡ଼ିକୁ ଠାବ କରାଯାଇ ସେଗୁଡ଼ିକୁ ସଫଳତାର ସହ ଉଦ୍ଧାର କରାଯାଇଛି।
ଅତିରିକ୍ତ ଏସ୍ପି ସାଧାରଣ ଲୋକଙ୍କୁ ଅନୁରୋଧ କରି କହିଥିଲେ ଯେ, କାହାର ମୋବାଇଲ ଫୋନ୍ ହଜିଗଲେ କିମ୍ବା ଚୋରି ହେଲେ ତାହାକୁ ଅନରିପୋର୍ଟେଡ୍ ରଖନ୍ତୁ ନାହିଁ। ତୁରନ୍ତ ନିକଟସ୍ଥ ଥାନାରେ ଯାଇ ଅଭିଯୋଗ ଦାଖଲ କରନ୍ତୁ। ଅଭିଯୋଗ ପଞ୍ଜିକୃତ ହେଲେ ସିଇଆଇଆର୍ ପୋର୍ଟାଲ ମାଧ୍ୟମରେ ମୋବାଇଲକୁ ଟ୍ରାକ୍ କରି ଉଦ୍ଧାର କରିବା ସହ ପ୍ରକୃତ ମାଲିକଙ୍କ ନିକଟକୁ ଫେରାଇବା ସମ୍ଭବ ହୋଇପାରିବ।
ମାଲକାନଗିରି ପୋଲିସ ପକ୍ଷରୁ ଏହି ସଚେତନତା ବାର୍ତ୍ତା ସହ ସାଧାରଣ ଲୋକଙ୍କୁ ମୋବାଇଲ ହଜିବା କିମ୍ବା ଚୋରି ଘଟଣାକୁ ଲୁଚାଇ ନରଖି ତୁରନ୍ତ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି।
