NH-143 ମରାମତି ପାଇଁ ୫ ଦିନର ଅଲ୍ଟିମେଟମ୍: କାର୍ଯ୍ୟ ଆରମ୍ଭ ନହେଲେ ରାସ୍ତାରୋକ ଚେତାବନୀ ଦେଲେ ବିରମିତ୍ରପୁର ବିଧାୟକ

ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଦେଇ ଯାଇଥିବା NH-143 ର ଶୋଚନୀୟ ଓ ବିପଦପୂର୍ଣ୍ଣ ଅବସ୍ଥାକୁ ନେଇ ସ୍ଥାନୀୟ ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) କୁ ୫ ଦିନର ସମୟସୀମା ଦେଇଛନ୍ତି।
ବିଧାୟକ ଶ୍ରୀ ତିର୍କୀ କଂଗ୍ରେସ ନେତା ଓ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ବିରମିତ୍ରପୁର ଥାନାକୁ ଯାଇ ଆଇଆଇସି (IIC) ରାମ ପ୍ରସାଦ ନାଗଙ୍କ ସହ ରାଜପଥର ବିପଦପୂର୍ଣ୍ଣ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ ସେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହ ଫୋନ୍ ଯୋଗେ କଥା ହୋଇ ଘଟଣାର ଗାମ୍ଭୀର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ।
ଖବରଦାତାଙ୍କୁ ସୂଚନା ଦେଇ ବିଧାୟକ କହିଛନ୍ତି ଯେ, “ତଲସେରା ଠାରୁ ବୋର୍ଡର ପର୍ଯ୍ୟନ୍ତ NH-143 ରାସ୍ତାରେ ପ୍ରତିଦିନ ପ୍ରଚୁର ଧୂଳି ଉଡ଼ୁଛି, ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି ଏବଂ କ୍ରମାଗତ ଭାବେ ଦୁର୍ଘଟଣା ବଢ଼ିବାରେ ଲାଗିଛି। NHAI ର ଚରମ ଅବହେଳା ଯୋଗୁଁ ସାଧାରଣ ଜନତା ଅସହ୍ୟ କଷ୍ଟ ଭୋଗୁଛନ୍ତି।”
ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଆସନ୍ତା ୫ ଦିନ ମଧ୍ୟରେ ଯଦି NHAI ମରାମତି କାର୍ଯ୍ୟ ଆରମ୍ଭ ନକରେ, ତେବେ ସ୍ଥାନୀୟ ନାଗରିକଙ୍କୁ ସାଥିରେ ନେଇ ଗଣତାନ୍ତ୍ରିକ ଉପାୟରେ ଜାତୀୟ ରାଜପଥ ଅବରୋଧ (ରାସ୍ତାରୋକ) କରାଯିବ।
ଏହି ଆଲୋଚନା ସମୟରେ ବିଧାୟକଙ୍କ ପ୍ରତିନିଧି ଶଶି ସାଗର, ମହେଶ ସାହୁ, ବିଜେଡି ନଗର ସଭାପତି କୁନା ଦେଓ, କଂଗ୍ରେସ ନେତା ବିକ୍ରମ ପଟ୍ଟନାୟକ, ଯୁବ ନେତା ପ୍ରମୋଦ ବୁଡ଼ା, ଜାନୁ, ଅନନ୍ୟାଙ୍କ ସମେତ ବହୁ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ !
