ଚାନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଉଦ୍ଘାଟିତ: ଶିଶୁ ବୈଜ୍ଞାନିକଙ୍କ ଦ୍ବାରା ପ୍ରକଳ୍ପ ପ୍ରଦର୍ଶିତ

ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବାର୍ଷିକ ବିଜ୍ଞାନ ମେଳା ଆଜି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ବୈଜ୍ଞାନିକ ପ୍ରତିଭା ପ୍ରଦର୍ଶନ କରିଥିଲେ। ପରିବେଶ ସୁରକ୍ଷା,ସୌର ଶକ୍ତିର ବ୍ୟବହାର,ବର୍ଜ୍ୟବସ୍ତୁ ପରିଚାଳନା,ଜଳ ସଂରକ୍ଷଣ,ସ୍ମାର୍ଟ ସିଟି ଏବଂ ନବୀକରଣ ଯୋଗ୍ୟ ଶକ୍ତି ଭଳି ବିଭିନ୍ନ ରୋଚକ ବିଷୟବସ୍ତୁ ଉପରେ କୋମଳମତି ଶିଶୁ ବୈଜ୍ଞାନିକମାନେ ଚିତ୍ତାକର୍ଷକ ମଡେଲ ଏବଂ ପ୍ରକଳ୍ପ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ।ବିଜ୍ଞାନ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନୁହେଁ। ଏଭଳି ପ୍ରଦର୍ଶନୀ ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ସୃଜନଶୀଳତା ଏବଂ ଗବେଷଣାତ୍ମକ ଚିନ୍ତାଧାରାର ବିକାଶ କରିଥାଏ।ମୁଖ୍ୟ ଅତିଥିଙ୍କ ସହିତ ସମାରୋହରେ ଆମନ୍ତ୍ରିତ ବିଚାରକ ମାନେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶିତ ମଡେଲ ଗୁଡ଼ିକର ସୂକ୍ଷ୍ମ ମୂଲ୍ୟାଙ୍କନ କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ,ପରିଚାଳନା କମିଟିର ସଭାପତି, ସମ୍ପାଦକ,ଯୁଗ୍ମ ସମ୍ପାଦକ,ଅଭିଭାବକ ବୃନ୍ଦ ଏବଂ ସମସ୍ତ ଗୁରୁଜୀ-ଗୁରୁମା ସକ୍ରିୟ ଯୋଗଦାନ କରି ସହଯୋଗ କରିଥିଲେ। ବିଦ୍ୟାଳୟର ଏହି ସଫଳ ଆୟୋଜନକୁ ସ୍ଥାନୀୟ ଅଞ୍ଚଳରେ ବହୁତ ପ୍ରଶଂସା କରାଯାଇଛି।
