
ଭଲ ମଣିଷ ହେବା ସହ ମା’ବାପା ଓ ଶିକ୍ଷକଙ୍କୁ ସମ୍ମାନ ଦେବାକୁ ବିଧାୟକଙ୍କ ପରାମର୍ଶ
ଛତ୍ରପୁର : ଗଞ୍ଜାମ ମହାବିଦ୍ୟାଳୟର ୫୮ତମ ସ୍ୱନକ୍ଷତ୍ର ଦିବସ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ. ସ୍ମରଣିକା ହୋତାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି ଅବସରରେଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜୀବନରେ ଜଣେ ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବା ସହ ମା’ବାପାଙ୍କ କଷ୍ଟକୁ ହୃଦୟଙ୍ଗମ କରିବା ଏବଂ ଶିକ୍ଷକଙ୍କୁ ସମ୍ମାନ ଦେବା ଜରୁରୀ ବୋଲି କହିଥିଲେ।
ଗଞ୍ଜାମ ମହାବିଦ୍ୟାଳୟର ପ୍ରତିଷ୍ଠା ଓ ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କୁ ସ୍ମରଣ କରି ବିଧାୟକ ସେମାନଙ୍କ ଅବଦାନର ପ୍ରଶଂସା କରିଥିଲେ। ଏଥିସହ ବର୍ତ୍ତମାନ ସମାଜରେ ବୃଦ୍ଧାଶ୍ରମ ବୃଦ୍ଧି ପାଉଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ମା’ବାପାଙ୍କ ଅନ୍ତିମ ସମୟରେ ନିଜେ ଉପସ୍ଥିତ ନରହି ଭିଡିଓ କଲ୍ ମାଧ୍ୟମରେ ଅନ୍ତିମ ସଂସ୍କାର ଦେଖିବା ଏବଂ ଫୋନ୍ପେ ମାଧ୍ୟମରେ ଟଙ୍କା ପଠାଇ ଦାୟିତ୍ୱ ସାରିଦେବା ଭଳି ମାନସିକତାରୁ ଦୂରେଇ ରହିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଗଞ୍ଜାମ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗଦେଇ ମା’, ମାଟି ଓ ମାତୃଭାଷାର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ନାରାୟଣ କୁମାର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଖରେ ଯେତେ ଗୁଣ ଓ ପ୍ରତିଭା ଥିଲେ ମଧ୍ୟ ଚରିତ୍ର ଗଠନ ପ୍ରତି ସର୍ବଦା ସଚେତନ ରହିବା ଆବଶ୍ୟକ ବୋଲି ମତ ଦେଇଥିଲେ।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଓଡ଼ିଆ ଅଧ୍ୟାପିକା ବାଇରୀ ଦେବୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଦୁର୍ଗାପ୍ରସାଦ ଦାସ ବାର୍ଷିକ ସଫଳତା ରିପୋର୍ଟ ପାଠ କରି ମହାବିଦ୍ୟାଳୟର ବିଭିନ୍ନ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ଏନ.ସି.ସି ,ଏନ.ଏସ.ଏସ ଓ ୱାଇ.ଏସ.ଆର ମାଧ୍ୟମରେ ସାମାଜିକ ଏବଂ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ସହ ଅଗ୍ନିବୀର ପରୀକ୍ଷାରେ ୮ ଜଣ ଛାତ୍ରଛାତ୍ରୀ ସଫଳତା ପାଇଥିବା ସେ ସୂଚନା ଦେଇଥିଲେ। ସେହିପରି ବିଶ୍ୱବିଦ୍ୟାଳୟସ୍ତରୀୟ ରାଙ୍କରେ ଗଞ୍ଜାମ ମହାବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଥିବା ନେଇ ମଧ୍ୟ ସୂଚନା ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିବେଷଣ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଶ୍ରୀଧର ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ। ଡ. ଅନିତା ଦଳାଇ, ସୁଶ୍ରୀ ଅରୁନ୍ଧତୀ ସିଂହ, ସୁଶ୍ରୀ ସଙ୍ଗୀତା ପଣ୍ଡା,ପ୍ରଭାତୀ ତ୍ରିପାଠୀ,ଅସ୍ମିତା ପଟ୍ଟନାୟକ, ରଜନୀକାନ୍ତ ପଟ୍ଟନାୟକ ଖୁସୁବୁ ନାଜ୍, ଗୀତାଞ୍ଜଳି ବେହେରା, ହିମାଂଶୁ ଶେଖର ନାହାକ, ଆଦିତ୍ୟ ମହାପାତ୍ର, ଅଜୟ ବାରିକି, ହିମାଂଶୁ ନାହାକ,ପ୍ରବୀର ପାଢ଼ୀ ଏବଂ ଏନ୍. ରଘୁନାଥ ରେଡ୍ଡୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
