
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ପୋଲିସ ଏକ ମୋବାଇଲ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ଘଟଣାର ତଦନ୍ତ କରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରି ହୋଇଥିବା ବହୁ ମୂଲ୍ୟବାନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଜବତ କରିଛି।
ସୂଚନା ଅନୁଯାୟୀ, ସେକ୍ଟର-ସି ମାର୍କେଟସ୍ଥିତ ଏକ ମୋବାଇଲ ଦୋକାନରୁ ଏହି ସବୁ ସାମଗ୍ରୀ ଚୋରି ହୋଇଥିଲା। ଅଭିଯୁକ୍ତ ଜଣକ ଏହି ସାମଗ୍ରୀଗୁଡ଼ିକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଲୁଚାଇ ରଖିଥିବା ବେଳେ ପୋଲିସ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା। ପୋଲିସ ହାତରେ ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ୦୪ଟି ମୋବାଇଲ ଫୋନ, ୦୩ଟି ମୋବାଇଲ ଚାର୍ଜର, ୦୩ଟି ଇୟରଫୋନ ଏବଂ ୦୨ଟି ସ୍ମାର୍ଟୱାଚ ରହିଛି।
ପୋଲିସ ସମସ୍ତ ଚୋରି ସାମଗ୍ରୀକୁ ଆଇନ ଅନୁଯାୟୀ ଜବତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
